ରାଇରଙ୍ଗପୁର :ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜଣେ ଅମିନ। ସୂଚନା ଅନୁସାରେ, ଅମିନ ଜଣକ ହେଉଛନ୍ତି ବାଲେଶ୍ଵର - ମୟୁରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମିନ ମାନସ ରଞ୍ଜନ ଦାସ । ତେବେ ସେ ଜଣେ ବ୍ୟକ୍ତିଙ୍କଠାରୁ ଆଜି ୩ହଜାର ୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ଚିତ୍ତରଞ୍ଜନ ମହାନ୍ତଙ୍କ ଠାରୁ ରେକର୍ଡ କପି ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ୩ହଜାର ୩୦୦ ଟଙ୍କା ଲାଞ୍ଚ ନେଉଥିଲେ ମାନସ ରଞ୍ଜନ ଦାସ।
ଏନେଇ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାିଥିଲା। ତେବେ ପୂର୍ବ ଯୋଜନା ଅନୁଯାୟୀ, ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଟଙ୍କା ନେଉଥିବାବେଳେ ଅମିନଙ୍କୁ ଟଙ୍କା ସହିତ ଅତର୍କିତ ଭାବେ କାବୁ କରିଛି। ଏହାସହ ଅମିନଙ୍କ ନିକଟରୁ କେମିକାଲ ଲଗାଯାଇଥିବା ୩ ହଜାର ୩୦୦ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏନେଇ ବାଲେଶ୍ଵର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଏହା ସହିତ ବାଲେଶ୍ଵର ଓ ବାରିପଦା ଭିଜିଲାନ୍ସ ବିଭାଗର ଟିମ ଅମିନ ମାନସ ରଞ୍ଜନ ଦାସଙ୍କ ବାରିପଦା ସ୍ଥିତ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୈତୃକ ବାସଭବନରେ ଚଢାଉ କରିଥିବା ନେଇ ସୂଚନା ଦେଇଛନ୍ତି ବାରିପଦା ଭିଜିଲାନ୍ସ ଡିଏସପି ଜୟନ୍ତୀ ଦଳେଇ।