ରାଇରଙ୍ଗପୁର: ହଷ୍ଟେଲରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅବହେଳାର ଶିକାର ହେଉଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଭିଭାବକ ସଂଘ । ଶତାଧିକ ଅଭିଭାବକ ରାଇରଙ୍ଗପୁର ସହରର ମହୁଲଡିହା ସ୍ଥିତ ସହରାଞ୍ଚଳ ଶିକ୍ଷା ଯୋଜନା (ଅନ୍ୱେଷା) ଛାତ୍ର ଓ ଛାତ୍ରୀ ନିବାସରୁ ଏକ ରାଲିରେ ଯୋଗଦେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ମଧ୍ୟ କରିଥିଲେ ।
ସହରାଞ୍ଚଳ ଶିକ୍ଷା ଯୋଜନା (ଅନ୍ୱେଷା) ଛାତ୍ରାବାସରେ ୩୬୨ ଜଣ ଛାତ୍ର ରହୁଥିବା ବେଳେ ଛାତ୍ରୀ ନିବାସରେ ୩୬୬ ଜଣ ଛାତ୍ରୀ ରହୁଛନ୍ତି । ସେଠାରେ ସର୍ବମୋଟ ୭୨୮ ଜଣ ଛାତ୍ରଛାତ୍ରୀ ରହି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଞ୍ଚଟି ସ୍କୁଲରେ ଅଧ୍ୟୟନ କରୁଥିବାର ସୂଚନା ରହିଛି । ତେବେ ଅନ୍ୱେଷାରେ ଛାତ୍ରଛାତ୍ରୀ ଅବହେଳିତ ଅବସ୍ଥାରେ ରହୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ ସଂଘ । ପୂର୍ବରୁ ପିଜିସିଏଲ ମାଧ୍ୟମରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି । ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଅଭିଭାବକମାନେ ଆଠ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଟିଉସନ ସୁବିଧା ଯୋଗାଇ ଦେବା, ଡାକ୍ତରଙ୍କ ଦ୍ବାରା ନିୟମିତ ଚେକଅପ, ପିଇବା ପାଇଁ ବିଶୁଦ୍ଧ ପାଣି, ପୁଷ୍ଟିକର ଖାଦ୍ୟ, ନିୟମିତ ଶୌଚାଳୟ ସଫାସୁତୁରା ଇତ୍ୟାଦି ଅଭିଭାବକ ମାନଙ୍କ ଦାବି ରହିଥିଲା ।
ତେବେ ଯଥାଶୀଘ୍ର ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ ସଂଘ । ସେପଟେ ଏନେଇ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରେଶ ଚନ୍ଦ୍ର ଜିତଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି," ସମସ୍ତ ସୁବିଧା ଅନ୍ୱେଷାରେ ଉପଲବ୍ଧ ରହିଛି । କେବଳ ଶିକ୍ଷକ ନିଯୁକ୍ତି ଓ ଛାତ୍ରୀନିବାସରେ ପାଣିର ଅସୁବିଧା ରହିଛି ।" ସେଗୁଡିକ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ।