ରାଇରଙ୍ଗପୁର: ପୁଣି ଥରେ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ପ୍ରଜାକୋର୍ଟ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡାହାଣୀ ସନ୍ଦେହରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଏକ ଘରେ ବାନ୍ଧି ନିର୍ଯାତନା ଦେଇଥିବାର ଖବର ଏବେ ସାମ୍ନାକୁ ଆସିଛି । ତେବେ ଏପରି କିଛି ସମ୍ବେଦନଶୀଳ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମରେ । ୭ ଜଣ ନାମରେ ମାମଲା ରୁଜୁ । ପୋଲିସର ତଦନ୍ତ ଜାରି ।
ଗତ ସୋମବାର ବିଳମ୍ୱିତ ରାତିରେ ଜଣେ ମହିଳା ଓ ଜଣେ ପୁରୁଷ ଅଙ୍ଗାରପଦା ଗ୍ରାମର ମଶାଣିରେ ଉଲଗ୍ନ ହୋଇ ପୂଜା କରୁଥିଲେ । ତେବେ ଏସବୁର ଖବର ଗ୍ରାମବାସୀ ଜାଣିବା ପରେ ରାତିରେ ହିଁ ଗାଁ ଲୋକେ ମଶାଣିକୁ ଯାଇ ଉଭୟ ମହିଳା ଓ ପୁରୁଷଙ୍କୁ ଧରି ଆଣି ଗୋଟିଏ ଘରରେ ରଖିଥିଲେ । ସେଠାରେ ଦୀର୍ଘ ୧୨ ଘଣ୍ଟା ଧରି ଅଟକ ରଖି ବାନ୍ଧି ଦେବା ସହ ମାଡ ମାରିବା ସହ ଅସହ୍ୟ ନିର୍ଯାତନା ଦେଇଥିଲେ ।
ତେବେ ଗତ କାଲି ଗାଁରେ କଙ୍ଗାରୁ କୋର୍ଟ ଚାଲିଥିବା ସମୟରେ ଯଶୀପୁର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ଉଭୟ ପୁରୁଷ ଓ ମହିଳା ଜଣକୁ ଉଦ୍ଧାର କରିଥିଲା । ପରେ ପୀଡିତ ପୁରୁଷ ଜଣକ ଯଶିପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହିକ୍ରମରେ ଯଶିପୁର ଥାନା ପୋଲିସ ଅଙ୍ଗାରପଦା ଗାଁର ୭ ଜଣଙ୍କ ନାମରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଆବଶ୍ୟକ ପଡିଲେ ସେମାନଙ୍କୁ ଗିରଫ କରାଯିବ ବୋଲି ଯଶିପୁର ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।