ରାଇରଙ୍ଗପୁର:ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଦିଆଯାଉଛି ନିମ୍ନ ମାନର ଛତୁଆ ଓ ବାଦାମ ଗୁଡ଼ ଲଡୁ । ପୁଷ୍ଟିକର ଖାଦ୍ୟ ବଦଳରେ ଅପୃଷ୍ଟିକର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଉଛି । ଏନେଇ ବିଡ଼ିଓ, ସିଡ଼ିପିଓ ଓ ଜିଲ୍ଲାପାଳଙ୍କୁ ବାରମ୍ଵାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ । ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ବେଲବୋରିଆ ଅଙ୍ଗନବାଡି କେନ୍ଦ୍ରରେ ମାଆ ଦ୍ୱାରଶୁଣି ସ୍ଵୟଂ ସହାୟକ ଗୋଷ୍ଠୀ ଜୋକା ତରଫରୁ ଛତୁଆ ପ୍ରସ୍ତୁତ କରି ସ୍ଥାନୀୟ ବେଲବୋରିଆ ଅଙ୍ଗନବାଡି କେନ୍ଦ୍ରକୁ ପ୍ରଦାନ କରେ । କିନ୍ତୁ ଖାଦ୍ୟର ମାନ ଅତି ନିମ୍ନ ମାନର ରହୁଥିବା ନେଇ ଗତକାଲି ସ୍ଥାନୀୟ ଗ୍ରାମବାସୀ ମାନେ ବେଲବୋରିଆ ଅଙ୍ଗନବାଡି କେନ୍ଦ୍ରକୁ ତାଲା ପକାଇ ଦେଇଛନ୍ତି । ଅଭିଯୋଗର ତୁରନ୍ତ ଯାଞ୍ଚ ସହିତ ସମ୍ପୃକ୍ତ ମାଆ ଦ୍ୱାରଶୁଣି ସ୍ଵୟଂ ସହାୟକ ଗୋଷ୍ଠୀ ଜୋକା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛନ୍ତି ରୋଜାଲୋକା ଗ୍ରାମର ସରପଞ୍ଚ ରବିକାନ୍ତ ସିଂ ।
ସେପଟେ ନିଜର ଭୁଲ ଥିବା ଓ ନିମ୍ନ ମାନର ଛତୁଆ ପ୍ରସ୍ତୁତ କରୁଥିବା ଦୋଷ ସ୍ବୀକାର କରିଛି ସ୍ଵୟଂ ସହାୟକ ଗୋଷ୍ଠୀ । ବିଗତ ନଭେମ୍ବର୧୪ ସାରସକଣା ବ୍ଲକ ପରିସରରେ ଅଧ୍ୟକ୍ଷା ତୁଳସୀ ସିଂଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକର ଦ୍ବିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଦିଆଯାଇଥିବା ଛତୁଆ ପ୍ୟାକେଟ ନିଜ ଗ୍ରାମରୁ ସଂଗ୍ରହ କରି ଆଣି ସର୍ବସମ୍ମୁଖରେ ପ୍ରଦର୍ଶନ କରିବା ସହିତ କିଭଳି ପୃଷ୍ଟିକର ଖାଦ୍ୟ ନାମରେ ଶିଶୁ ଓ ମାଆ ମାନଙ୍କୁ ଅଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ । ଛତୁଆକୁ ଚାଲୁଣୀରେ ଚଲାଗଲା ପରେ 70% ଖଦଡା ଅଂଶ ବାହାରିଥିଲା, ତେବେ ଉକ୍ତ ବୈଠକରେ ଛତୁଆକୁ ସମସ୍ତଙ୍କ ସମ୍ମୁଖରେ ଖୋଲାଯାଇ ସେଥିରେ ମିଶ୍ରଣ କରାଯାଇଥିବା ନମୁନା ଦେଖାଇଥିଲେ ।