ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପୁଣି କଙ୍ଗାରୁ କୋର୍ଟ । ମହିଳା ଓ ପୁରୁଷଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରାଇଆଁ ଗ୍ରାମରେ ଏଭଳି ଅଭିବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଭୁଆସୁଣୀ ପଞ୍ଚାୟତର ରାଇଆଁ ଗ୍ରାମର ଜନୈକ ବିବାହିତା ମହିଳା ଓ ଶ୍ୟାମ ସୁନ୍ଦରପୁର ପଞ୍ଚାୟତ ନୂଆଗାଁର ଜନୈକ ବିବାହିତ ପୁରୁଷଙ୍କୁ ଅସଞ୍ଜତ ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହା ଦେଖିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଥିଲା । ଫଳରେ ଗ୍ରାମବାସୀ ଦୁହିଁଙ୍କୁ ବାନ୍ଧି ଦେଇଥିଲେ । ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ଗ୍ରାମବାସୀ ଉଭୟଙ୍କୁ ସର୍ବ ସମ୍ମୁଖରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ।
ଅକଥନୀୟ ନିର୍ଯାତନା ଦେବା ସହ ସେମାନଙ୍କୁ ମାଡ଼ ମାରୁଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା । ଘଟଣା ସମ୍ପର୍କରେ ପୋଲିସକୁ କୌଣସି ସୂଚନା ଦିଆଯାଇ ନଥିଲା । ଭିଡ଼ିଓଟି ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଅନ୍ୟପଟେ ଉକ୍ତ ପୁରୁଷ ଏବଂ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ପରେ ଗ୍ରାମବାସୀ ଦୁଇରୁ ତିନି ଦିନ ସେମାନଙ୍କୁ ଅଟକ ରଖିଥିଲେ । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଉଭୟ ମହିଳା ଏବଂ ପୁରୁଷଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲା । ପରେ ଉକ୍ତ ଗ୍ରାମରୁ ସେମାନଙ୍କୁ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି ।