ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲାରୁ ବିଦାୟ ନେଇଛି ଅହିଂସା ରଥ । ଚଳିତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଅହିଂସା ରଥ ଶନିବାର ଖୋର୍ଦ୍ଧା ଜିଲ୍ଲାରୁ ବିଦାୟ ନେଇଛି । ଗତ ୪ ଦିନ ଧରି ଏହି ରଥ ଶାନ୍ତି ମୈତ୍ରୀର ବାର୍ତ୍ତା ବଣ୍ଟନ କରିଥିଲା । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ଟି ଗାଡିକୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇଥିଲା । ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ଜୀବନୀକୁ ପ୍ରଦର୍ଶନ କରାଯାଇଥିଲା ।
ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ, ଆଦର୍ଶ ଉପରେ ଆଧାରିତ ସୁନ୍ଦର ଫିଲ୍ମ ଏଥିରେ ପ୍ରଦର୍ଶିତ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରଥକୁ ଖୋର୍ଦ୍ଧା ଜିଲ୍ଲାକୁ ହସ୍ତାନ୍ତର କରାଯିବା ପରେ ଖୋର୍ଦ୍ଧା ଉପଖଣ୍ତର ବାଲୁଗାଁ, ବାଣପୁର ବିଜ୍ଞାପିତ ଅଞ୍ଜଳ, ବାଣପୁର, ଚିଲିକା, ଟାଙ୍ଗି, ବୋଲଗଡ, ବେଗୁନିଆ ବ୍ଲକ ବୁଲି ସାରିବା ପରେ ଏହି ରଥ ଶନିବାର ଖୋର୍ଦ୍ଧା ବ୍ଲକ ଓ ପୌରସଂସ୍ଥା ଅଞ୍ଚଳରେ ପହଞ୍ଚିଥିଲା ।
ଶନିବାର ପ୍ରଥମେ ଖୋର୍ଦ୍ଧା ବ୍ଲକର ପୁବୁସାହି ଓ ଏବଂ ତାପଙ୍ଗ ପଞ୍ଚାୟତରେ ଏହାକୁ ଜୋରଦାର ସ୍ବାଗତ କରାଯାଇଥିଲା । ସେଠାରେ ବିଡିଓ କ୍ଷୀରାବ୍ଧି ତନୟା ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ, ଜନପ୍ରତିନିଧି, ଆଶା, ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଗଡ଼ିବା ପରେ ଅପରାହ୍ନରେ ଖୋର୍ଦ୍ଧା ବକ୍ସିଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲା ।