ରାଇରଙ୍ଗପୁର: ନିଜ ଉଦ୍ୟମରେ ରାସ୍ତା ମରାମତି କଲେ ଗ୍ରାମବାସୀ। ରାସ୍ତା ମରାମତି ପାଇଁ ବାରମ୍ବାର ଗ୍ରାମପଞ୍ଚାୟତ ଓ ବ୍ଲକ ପ୍ରଶାସନ ନିକଟରେ ଦାବି କରି ନୟାନ୍ତ ହେବା ପରେ ଶେଷରେ ନିଜ ଉଦ୍ୟମରେ ଗାଁ ଲୋକେ ରାସ୍ତା ମରାମତି କରି ଉଦାହରଣ ସୃଷ୍ଟି କରିଛନ୍ତି । ଏଭଳି କାର୍ଯ୍ୟକରି ପ୍ରଶାସନ ଓ ଜନପ୍ରତିନିଧିଙ୍କ ଅପାରଗତାକୁ ପଦାରେ ପକାଇଛନ୍ତି ଗ୍ରାମବାସୀ ।
ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଶଶ ଗ୍ରାମପଞ୍ଚାୟତ ଅଧିନ ଖିଜରୀତାଣ୍ଡି ଗ୍ରାମ ଦେଇ ବାସିଙ୍ଗି ଗ୍ରାମ ନିକଟ ୨୨୦ ନଂ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ବର୍ଷବର୍ଷ ଧରି ମରାମତି ନହେବାରୁ ଅତି ଶୋଚନୀୟ ଅବସ୍ଥାରେ ରହିଛି। ଖାଲ ଢିପରେ ପରିପୂର୍ଣ୍ଣ ରାସ୍ତାଟି ବର୍ଷ ତମାମ ଏହି ରାସ୍ତାରେ ଯାତାୟତ କରୁଥିବା ଶହଶହ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ବର୍ଷା ଦିନରେ ଆଣ୍ଠୁଏଁ ଲେଖାଏଁ କାଦୁଅ ଓ ବର୍ଷାଜଳରେ ପରିପୂର୍ଣ୍ଣ ରାସ୍ତାଟି ଅତି ଦୟନୀୟ ଅବସ୍ଥାରେ ରହିଥାଏ। ଏଥିରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଯିବା ଆସିବା ତଥା ସାଧାରଣ ଲୋକଙ୍କ ଯାନବାହନ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ଜରୁରୀ ସମୟରେ ପ୍ରସୂତୀ ତଥା ଗୁରୁତର ରୋଗୀଙ୍କ ପାଇଁ ଉଦ୍ଧିଷ୍ଠ ଜରୁରୀ କାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ। ଏନେଇ ଗ୍ରାମପଞ୍ଚାୟତ ବ୍ଲକ୍ ପ୍ରଶାସନ ତଥା ଜନପ୍ରତିନିଧିଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ରାସ୍ତାର ମରାମତି କାର୍ଯ୍ୟ ହୋଇପାରିନାହିଁ।