ଓଡିଶା

odisha

ETV Bharat / state

'ଫନି' ପରେ ଆକାଶରୁ ଖସୁଛି ନିଆଁ ହୁଳା, ତ୍ରାହି ତ୍ରାହି ଡାକୁଛନ୍ତି ପଥଚାରୀ

ରୌଦ୍ରତାପରେ ସିଝୁଛି ସାରା ରାଜ୍ୟ । ସବୁଠି ତାତି ସାଙ୍ଗକୁ ତାଳ ଦେଇ ବଢୁଛି ଗୁଳୁଗୁଳି। ରାସ୍ତାଘାଟ ଦୋକାନ ବଜାର ଖାଁ ଖାଁ ଲାଗୁଛି । ଦିନ ୯ ପରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି।

By

Published : May 12, 2019, 4:12 PM IST

Updated : May 12, 2019, 5:26 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ବାତ୍ୟା 'ଫନି' ଆସି ଚାଲିଯାଇଛି । ହେଲେ ରାଜ୍ୟରେ ମୁଣ୍ଡ ଫଟା ଖରା ଲୋକଙ୍କୁ କଲବଲ କରୁଛି । ବାତ୍ୟାରେ ଗଛପତ୍ର ସବୁ ଭାଙ୍ଗି ନଷ୍ଟ ହୋଇ ଯାଇଥିବା ବେଳେ ଛାଇ ଟିକେ ପାଇଁ ଲୋକେ ଡହଳବିକଳ ହୋଇ ପଡୁଛନ୍ତି। ଖରା କଷ୍ଟ ସାଙ୍ଗକୁ ତାଳ ଦେଇ ଜଳ କଷ୍ଟ ଓ ଘନଘନ ବିଦ୍ୟୁତ କାଟ ରାଇରଙ୍ଗପୁରବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ପରି କାମ କରୁଛି।

ଖରାରୁ ନିସ୍ତାର ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ପଥଚାରୀ । ଏତେ ବଡ ଟାଣ ଖରାରେ ଲୋକମାନେ ମୃଦୁ ପାନୀୟ ଜଳ, ଆଖୁରସ, ପଇଡ ପାଣି, ଆଇସକ୍ରିମ ଖାଇ ଶୋଷ ମେଣ୍ଟାଉଥିବା ଦେଖାଦେଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସକାଳ 10ଟାରୁ ଦୋକାନ ଘରେ ତାଟି କବାଟ ପଡିଯାଉଛି । ଏନେଇ ବ୍ୟବସାୟୀ ସଂସ୍ଥା ଠପ ହୋଇଯିବା ସହ ସାରା ସହର ଜନଶୂନ୍ୟ ହୋଇପଡୁଛି। ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଜନଗହଳି ସ୍ଥାନରେ ଜଳଛତ୍ର ଖୋଲାଯାଇଛି।

ପାଣି ବୁନ୍ଦାଏ ପାଇଁ ମଣିଷଙ୍କ ସହିତ ପଶୁ ପକ୍ଷୀମାନେ ମଧ୍ୟ ଡ଼ହଳବିକଳ ହେଉଥିବା ଦେଖାଯାଇଛି। ଗ୍ରୀଷ୍ମ ପ୍ରବାହ ନେଇ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିବା କହିଛନ୍ତି ରାଇରଙ୍ଗପୁର ପୌର ପରିଷଦର ସହଯୋଗୀ ନିର୍ବାହୀ ଯନ୍ତ୍ରୀ। ଏପରିକି ପାଣି ଅସୁବିଧା ଥିବା ଜନବସତିକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରୁଥିବା ସେ କହିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା , ଇଟିଭି ଭାରତ

Last Updated : May 12, 2019, 5:26 PM IST

For All Latest Updates

ABOUT THE AUTHOR

...view details