rail rok in Bahalada Road Station ରାଇରଙ୍ଗପୁର:ବିଭିନ୍ନ ଦାବି ନେଇ ବହଳଦା ବ୍ଲକ ଅନ୍ତର୍ଗତ ବହଳଦା ରୋଡ ଷ୍ଟେସନ ଠାରେ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ରେଳରୋକ । ପୂର୍ବତନ ସାଂସଦ ତଥା ଆଦିବାସୀ ସେଙ୍ଗେଲ ଅଭିଯାନର ମୁଖ୍ୟ ସାଲଖାନ ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶନିବାର ଏହି ରେଳରୋକ ଆନ୍ଦୋଳନ କରାଯାଇଥିଲା । ଝାରଖଣ୍ଡ ରାଜ୍ୟର ଗିରଡିହି ଜିଲ୍ଲା ସ୍ଥିତ ମାରାଂବୁରୁ ପର୍ବତକୁ ଜୈନ ଧର୍ମାବଲମ୍ବୀଙ୍କୁ ଝାରଖଣ୍ଡ ସରକାର ଦ୍ବାରା ହସ୍ତାନ୍ତର କରାଯିବାରୁ ଏହାକୁ ବିରୋଧ କରି ଧାରଣା ଦିଆଯାଇଥିଲା । କେବଳ ଓଡିଶା ନୁହେ ବରଂ ଝାରଖଣ୍ଡ, ଆସାମ, ପଶ୍ଚିମବଙ୍ଗ ଓ ବିହାର ରାଜ୍ୟରେ ରେଳରୋକ ଆନ୍ଦୋଳନ କରାଯାଇଛି ।
ବହଳଦା ରୋଡ ଠାରେ ଅଲଇଣ୍ଡିଆ ପାରଗାନା ମାଡଓ୍ବା ପରିଷଦର ଓଡିଶା ଷ୍ଟେଟ ପାରଗାନା ପନତର ସଦସ୍ୟ କାଲୁରାମ ମୁର୍ମୁଙ୍କ ନେତୃତ୍ବରେ ରେଳରୋକ ଆନ୍ଦୋଳନ କରାଯାଇଥିଲା । ଏଥିରେ ବ୍ଳକ ସ୍ତରୀୟ ସଭାପତି ତଥା କର୍ମକର୍ତ୍ତାଙ୍କ ସହିତ ବହୁ ମହିଳା ସମର୍ଥକ ଉପସ୍ଥିତ ରହିଥିଲେ । ରେଳରୋକ ଯୋଗୁ ଟାଟା-ବାଦାମପାହାଡ ଦ୍ବିତୀୟ ପାସେଞ୍ଜର ଟ୍ରେନକୁ ଦୀର୍ଘ ତିନିଘଣ୍ଟା ଧରି ଅଟକି ରହିଥିଲା । ଏଥିସହ ବହୁ ମାଲବାହୀ ଟ୍ରେନ ମଧ୍ୟ ଅଟକି ରହିଥିଲା । ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବାବେଳେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ସୂଚନା ଅନୁସାରେ, ଝାରଖଣ୍ଡ ରାଜ୍ୟ ଗିରଡିହି ଜିଲ୍ଲାର ପିରଟାଣ୍ଡ ବ୍ଲକରେ ଅବସ୍ଥିତ ପାରସନାଥ ପର୍ବତ । ଯାହାକୁ ଆଦିବାସୀ ସମ୍ପ୍ରଦାୟରେ ମାରାଂବୁରୁ ଭାବରେ ଯୁଗଯୁଗରୁ ପୂଜାସ୍ଥଳ ଭାବେ ମାନି ଆସୁଛନ୍ତି । ଉକ୍ତ ପର୍ବତରେ ସାନ୍ତାଳ ସମ୍ପ୍ରଦାୟର ଲୋକେ ବିଭିନ୍ନ ପୂଜା ପାର୍ବଣରେ ହିର୍ଲା ମାରାଂବୁରୁ ଉଚ୍ଚାରଣ କରି ନିଜକୁ ସମର୍ପିତ କରିଥାନ୍ତି । ସେଠାରେ ଆଦିବାସୀ ମାନଙ୍କ ପୂଜାସ୍ଥଳ ରହିଛି । କିନ୍ତୁ ପ୍ରଶାସନ ମାରାଂବୁରୁ ପର୍ବତକୁ ଆଦିବାସୀ ମାନଙ୍କ ଠାରୁ ଛଡାଇ ନେଇ ଜୈନ ଧର୍ମାଲମ୍ବିଙ୍କୁ ହସ୍ତାନ୍ତର କରିଛନ୍ତି । ଯାହା ଆଦିବାସୀ ମାନଙ୍କ ଆସ୍ଥା, ଅସ୍ମିତା ଓ ମାନ ସ୍ବାଭିମାନ ପ୍ରତି କୁଠାରାଘାତ ବୋଲି ବିବେଚନା କରାଯାଉଛି । ଆଦିବାସୀ ସେଙ୍ଗେଲ ଅଭିଯାନ ଭାରତ ଏବଂ ବିଶ୍ବର ଆଦିବାସୀ ସମୁଦାୟ ମାନଙ୍କ ତରଫରୁ ମାରାଂବୁରୁ ପର୍ବତକୁ ଫେରାଇଦେବା ପାଇଁ ଦାବି କରିଛି।
ଏନେଇ ଆଦିବାସୀ ସେଙ୍ଗେଲର ଛାତ୍ର ସଂଘ ସଭାପତି ବାରିଆଲ ହେମ୍ବ୍ରମ କହିଛନ୍ତି ଯେ, ''ଆମର ମାରାଂବୁରୁ ପାହାଡକୁ ଝାରଖଣ୍ଡ ସରକାର ଜୈନ ଧର୍ମାବଲମ୍ବିଙ୍କୁ ହସ୍ତାନ୍ତର କରାଯାଇଛି । ଏହାକୁ ଆମେ କଠୋର ଭାବେ ନିନ୍ଦା କରୁଛି । ଏଥି ଆମେ ଆମେ ରେଳରୋକ କରିଛୁ । ଆମ ସାର୍ନା ଧର୍ମର ମାରାଂବୁରୁ ପାହାଡକୁ ଆମକୁ ହସ୍ତାନ୍ତର କରାଯାଉ । ଏବଂ ସାର୍ନା ଧର୍ମକୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ ।''
ଇଟିଭି ଭାରତ,ରାଇରଙ୍ଗପୁର