ଶିମିଳିପାଳ ହାତୀ ମୃତ୍ୟୁ ଘଟଣା, ସମ୍ପୃକ୍ତ ବନ କର୍ମଚାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ବିଭାଗୀୟ ମନ୍ତ୍ରୀ ଭୁବନେଶ୍ବର: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ଦନ୍ତା ହାତୀ ଶିକାର ଓ ଦାନ୍ତ ଚୋରି ଘଟଣା (Shimilipal Elephant Death Case) । ଏହାକୁ ଲୁଚାଇବା ଅଭିଯୋଗରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ତେବେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ସେପଟେ କାର୍ଯ୍ୟାନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା କହିଛନ୍ତି ପିସିସିଏଫ ସୁଶୀଲ କୁମାର ପୋପଲି ।
ଜଙ୍ଗଲ ଭିତରେ ହାତୀମାନଙ୍କୁ ଆବଦ୍ଧ କରିବା ପାଇଁ ବିଭିନ୍ନ ଯୋଜନା କରାଯାଉଛି । ଅଧିକ ଜଙ୍ଗଲ ସୃଷ୍ଟି କରାଯାଇଛି ଓ ସେହି ଜଙ୍ଗଲରେ ପାଣି ପାଇଁ ପୋଖରୀ ଖନନ କରାଯିବା ସହ ଅନ୍ୟାନ୍ୟ ଆବଶ୍ୟକତା ଗ୍ରହଣ କରାଯାଇଛି । ହାତୀ ଶିକାର ଖବର ଆସିଲେ, ଯେଉଁ ଉପରୁ ତଳ ଯାଏ କର୍ମଚାରୀ ସମ୍ପୃକ୍ତ ରହୁଛନ୍ତି, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରାଯାଉଛି, ତା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ।
ଏହା ବି ପଢନ୍ତୁ- ଦନ୍ତା ହାତୀ ଶିକାର ଘଟଣା ଲୁଚାଇବା ଉଦ୍ୟମ, ୩ ବନ କର୍ମଚାରୀ ନିଲମ୍ବିତ
ସେପଟେ ଏ ନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ କାର୍ଯ୍ୟନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା ଜଣାପଡ଼ିଛି । ଗତ ୭ ତାରିଖରେ ଶିମିଳିପାଳରେ ହାତୀ ମୃତ୍ୟୁ ନେଇ ଖବର ଆସିଥିଲା । ଜେନବିଲ ୫୦ ଜଣିଆ ଯାଞ୍ଚ ଦଳ ଗଠନ କରି ଉକ୍ତ ଅଞ୍ଚଳରେ ଖୋଜାଖୋଜି ପରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିଲା ନାହିଁ । ସ୍ଥାନୀୟ ବନ କର୍ମଚାରୀଙ୍କୁ ଜେରା ପରେ ହାତୀ ମୃତ୍ୟୁ ଘଟଣା ଘଟିଥିବା ନେଇ କ୍ଲୁ ମିଳିଛି । କାର୍ଯ୍ୟନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା ଜଣାପଡ଼ିଛି ।
ହାତୀକୁ ପୋଡ଼ିବା ପରେ ରହିଯାଇଥିବା ହାଡ଼ ଆଦି ଅବଶେଷକୁ ସେମାନେ ନିକଟର ଥିବା ଏକ ଜଳ ପ୍ରପାତରେ ପକାଇଥିଲେ । ଏହା ଜଣାପଡ଼ିବା ପରେ ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଘଟଣାସ୍ଥଳ ପୁନଶ୍ଚ ଯାଞ୍ଚ ପରେ କିଛି ହାଡ଼ ଖଣ୍ଡ ମିଳିଛି । ଏସବୁ ହାଡ଼କୁ ଯାଞ୍ଚ ଲାଗି OUATକୁ ନମୁନା ପଠାଯାଇଛି । OUATରୁ ରିପୋର୍ଟ ଆସିବା ପରେ ଘଟଣା ସତ ହୋଇଥିବା ନେଇ ଜଣାପଡ଼ିଲେ ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁସାରେ ମାମଲା ରୁଜୁ କରାଯିବ । ଏହାସହ ଘଟଣାର ଅଧିକ ତଦନ୍ତ ଲାଗି ଜଏଣ୍ଟ ଟାସ୍କଫୋର୍ସକୁ ମଧ୍ୟ ଆଜି ଘଟଣା ସ୍ଥଳକୁ ପଠାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର