ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଶୋଇ ଥାନା ଅଞ୍ଚଳରେମନ୍ଦିର ହୁଣ୍ଡିରୁ ଚୋରି ଘଟଣା । ଚୋରିରେ ସହଯୋଗ କରିବା ଏବଂ ପଚରାଉଚରା ବେଳେ ଓଆଇସିଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ ସୁଶାନ୍ତ ଦେଓଙ୍କ ସମେତ ଦୁଇ ଅଭିଯୁକ୍ତ ଗିରଫ । ସେମାନଙ୍କୁ କୋର୍ଟ ଚାଲଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ବିଶୋଇ ଥାନା ପୋଲିସ ।
ମୟୂରଭଞ୍ଜ ଜିଲ୍ଲାରେ ଗତ ଶୁକ୍ରବାର ରାତିରେ ଘଟି ଯାଇଥିଲା ଏକ ଅଭାବନୀୟ ଘଟଣା । ବିଶୋଇ ଥାନା ଅଞ୍ଚଳରେ ଥିବା ଶିବ ମନ୍ଦିରର ହୁଣ୍ଡି ବାକ୍ସ କାଟି ଟଙ୍କା ଚୋରି ଘଟଣାରେ ବିଶୋଇ ଥାନା ପୋଲିସ ତଦନ୍ତ କରୁଥିବା ବେଳେ ଅଧିକ ପଚରାଉଚରା ପାଇଁ ଥାନାରେ ଉକ୍ତ ମନ୍ଦିରର ସେବାୟତ ସୁଶାନ୍ତ ଦେଓକୁ ଅଟକ ରଖିଥିଲେ । ଏହି ସମୟରେ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇଙ୍କ ବେକକୁ ହଠାତ୍ ଏକ ବ୍ଲେଡ଼ରେ କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲା ସୁଶାନ୍ତ। ତେବେ କୌଶଳକ୍ରମେ ମିନି ଭୋଇ ବର୍ତ୍ତି ଯାଇଥିବା ବେଳେ ଆହତ ହୋଇଥିଲେ । ପରେ ଅଧିକ ତଦନ୍ତ ପରେ ଶିବ ମନ୍ଦିର ଚୋରି ଘଟଣାର ସତ୍ୟାସତ୍ୟ ଜଣା ପଡିଥିଲା।
ଏହାମଧ୍ୟ ପଢନ୍ତୁ..ଥାନା ଭିତରେ ଥାନା ଅଧିକାରିଣୀଙ୍କ ଗଳା କାଟିଲେ ଅଟକ ବ୍ୟକ୍ତି
ଗତ ୧୬ ତାରିଖ ରାତିରେ ବିଶୋଇ ଶିବ ମନ୍ଦିରର ଦାନହୁଣ୍ଡି ଭାଙ୍ଗି ଚୋରି କରିଥିଲେ ବିଶୋଇ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି । ସେମାନେ ହେଲେ ରବୀନ୍ଦ୍ର ବିନ୍ଧାଣୀ (୫୪) ଓ ଅଜୟ ସେଠୀ(୩୬)। ତେବେ ଦୁହେଁ ସମ୍ପର୍କରେ ଶଶୁର ଓ ଜ୍ବାଇଁ ଅଟନ୍ତି । ଗତ ୧୬ ତାରିଖ ବିଳମ୍ବିତ ରାତିରେ ଉଭୟ ଶଶୁର ଓ ଜ୍ବାଇଁ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରି ନେଇ ପଳାଇ ଯାଇଥିଲେ । ତେବେ ସେହି ମନ୍ଦିରରେ ସେବାୟତ ଥିବା ସୁଶାନ୍ତ ଦେଓ ଘଟଣା ବିଷୟରେ ଜାଣିଥିବାରୁ ଉଭୟ ଶଶୁର ଓ ଜ୍ବାଇଁ ସୁଶାନ୍ତଙ୍କୁ ଏହି ଚୋରି ଘଟଣା କାହା ସମ୍ମୁଖରେ ପ୍ରକାଶ ନକରିବା ପାଇଁ ୩୦୦୦ ଟଙ୍କା ଦେଇଥିଲେ।