ବାରିପଦା: 8ମ ଶ୍ରେଣୀ ଛାତ୍ରୀ ଅପହରଣ ମାମଲାରେ ମୟୂରଭଞ୍ଜ ପୋଲିସକୁ ବଡ ସଫଳତା । ଏସପି ସ୍ମିଥ୍ ପି. ପରମାରଙ୍କ ନେତୃତ୍ତ୍ବରେ ଗଠିତ ଏକ ସ୍ବତନ୍ତ୍ର ଟିମ ଅପହରଣର ମାଷ୍ଟର ମାଇଣ୍ଡ ବା ମୁଖ୍ୟ ଅଭିଯୁକ୍ତକୁ ତାମିଲନାଡୁର ଏକ ସହରରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ମୟୁରଭଞ୍ଜ ନାବାଳିକା ଅପହରଣ ମାମଲା; ଅପହରଣକାରୀକୁ ତାମିଲନାଡୁରେ ଧରିଲା ପୋଲିସ ଅଭିଯୁକ୍ତ ଜଣଙ୍କ ବଡ଼ସାହିର ବସନ୍ତ ସେନାପତିଙ୍କ ପୁଅ ଅମିତ ସେନାପତି ବୋଲି ଜଣାପଡିଛି । ସେ ବାରିପଦାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ୨ୟ ବର୍ଷ ଡ଼ିପ୍ଲେମା ଛାତ୍ର ।
ସୂଚନାନୁଯାୟୀ, ନଭେମ୍ବର ୨୪ ତାରିଖ ଅପରାହ୍ନରେ ଅଭିଯୁକ୍ତ ଅମିତ ବଡ଼ସାହି ଥାନା ଅଞ୍ଚଳର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମରୁ କୌଶଳକ୍ରମେ ଅପହରଣ କରି ନେଇଥିଲା। ନାବାଳିକାଙ୍କ ବାପା ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ନାବାଳିକାଙ୍କର କୌଣସି ପତ୍ତା ମିଳୁନଥିବାରୁ ନିରାଶ ହୋଇ ପିତାମାତା ଏସପିଙ୍କୁ ଭେଟିଥିଲେ । ପୋଲିସ ସ୍ବତନ୍ତ୍ର ଟିମ ସହାୟତାରେ ମୋବାଇଲ ଟ୍ରାକିଂ ଓ ଅପହରଣକାରୀ ଆତ୍ମୀୟଙ୍କ ବୟାନକୁ ଭିତ୍ତି କରି ଯାଞ୍ଚ କରିଥିଲା । ପରେ ତାମିଲନାଡୁର ଏକ ସହରରେ ଆତ୍ମଗୋପନ କରିଥିବା ଜାଣିବାକୁ ପାଇଥିଲା ପୋଲିସ । ତଦନୁଯାୟୀ ପୋଲିସ ଟିମ ସେଠାରେ ପହଞ୍ଚି ଚତୁରତାର ସହିତ ଉଭୟଙ୍କୁ ଠାବ କରିଥିଲେ ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ