ରାଇରଙ୍ଗପୁର:୧୦ ମାସ ପରେ ଦୁଷ୍କର୍ମ ଅଭିଯୁକ୍ତକୁ ମିଳିଲା ସଶ୍ରମ କାରାଦଣ୍ଡ । ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଲେ କୋର୍ଟ । ଏହାସହ ୧୦ହଜାର ଜରିମାନା ସହ ପୀଡିତାଙ୍କ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆଦେଶ ଦେଇଛନ୍ତି । ସମସ୍ତ ତଥ୍ୟ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ସେସନ୍ ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବୁଧବାର ଦିନ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ହେଲା ବାଦାମପାହାଡ ଥାନା ଅନ୍ତର୍ଗତ ଦବର ନାଏକଙ୍କ ପୁଅ ଘନ ନାଏକ (୪୧)।
ସୂଚନାଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଞ୍ଚଳରେ ଘଟିଥିଲା ଏକ ଲଜ୍ଜାଜନକ ଘଟଣା । ଗତ ୨୦୨୨ ମସିହା ଏପ୍ରିଲ ମାସ ୨୩ ତାରିଖ ଶନିବାର ଦିନ ଘରେ ପଞ୍ଚମ ଶ୍ରେଣୀର ଛାତ୍ରୀ ଏକୁଟିଆ ରହିଥିବା ବେଳେ ଘନ ନାଏକ ନାବାଳିକା ଝିଅ ସହିତ ଦୁଷ୍କର୍ମ କରିଥିଲା । ତେବେ ପରିବାର ଲୋକେ ଘରକୁ ଫେରିବା ପରେ ନାବାଳିକା ଜଣକ ମାଆକୁ ଘଟଣା ବିଷୟରେ ଜଣେଇଥିଲେ।
ଏନେଇ ନାବାଳିକାର ମାଆ ବାଦାମପାହାଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବାଦାମପାହାଡ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଘନ ନାଏକକୁ ଗିରଫ କରିଥିଲା । ଏହାପରେ ଅଭିଯୁକ୍ତ ଘନ ନାଏକ ପୋଲିସ ନିକଟରେ ନିଜର ଦୋଷ ସ୍ବୀକାର କରିଥିଲା । ପରେ ଅଭିଯୁକ୍ତ ଘନ ନାଏକର ଡାକ୍ତରୀ ପରୀକ୍ଷା ପରେ ବାରିପଦା ସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଏହି ଘଟଣାରେ ଗତକାଲି ରାୟ ଶୁଣାଇଛନ୍ତି କୋର୍ଟ ।