ଓଡିଶା

odisha

ETV Bharat / state

ଗୃହିଣୀରୁ ସଫଳ ଉଦ୍ୟୋଗୀ, ଧଳା ଘୁଷୁରୀ ଚାଷ କରି ଦେଖାଇଲେ ରୋଜଗାର ବାଟ - ମୟୂରଭଞ୍ଜ ଧଳା ଘୁଷୁରୀ ଚାଷ

ମୟୂରଭଞ୍ଜର ଜଣେ ମହିଳା ସଫଳ ଧଳା ଘୁଷୁରୀ ଚାଷୀ ଭାବେ ନିଜକୁ ପ୍ରତିପାଦନ କରିପାରିଛନ୍ତି ପିଙ୍କି । ସାତ ମାସ ମଧ୍ୟରେ ଗୋଟିଏ ଘୁଷୁରୀ ୧୦୦ କିଲୋ ଓଜନର ହେଉଥିବା ବେଳେ ଖର୍ଚ୍ଚ ହେଉଛି ପାଖାପାଖି ୭୦୦୦ ଟଙ୍କା । ବିକ୍ରି ହେଉଛି ୧୨ରୁ ୧୮ ହଜାର ଟଙ୍କାରେ । ଅଧିକ ପଢନ୍ତୁ...

ଗୃହିଣୀରୁ ସଫଳ ଉଦ୍ୟୋଗୀ ଚାଷୀ
ଗୃହିଣୀରୁ ସଫଳ ଉଦ୍ୟୋଗୀ ଚାଷୀ

By

Published : Aug 5, 2021, 8:29 PM IST

ରାଇରଙ୍ଗପୁର: ଆଜିର ନାରୀ ଅବଳା ନୁହଁ କି ଦୁର୍ବଳା ନୁହଁ, ସବୁ କାର୍ଯ୍ୟରେ ଆଗରେ ରହି ମହିଳା ମାନେ ଦେଖାଇଛନ୍ତି ନିଜର ପାରିଦର୍ଶିତା । ଆଉ ଏହା ପ୍ରମାଣ କରି ଦେଖାଇଛନ୍ତି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଜଣେ ମହିଳା । ଘୁଷୁରୀ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଖାଇଛନ୍ତି ରୋଜଗାରର ବାଟ ।


ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ହୁରିଲାବେଡା ଗ୍ରାମର ପିଙ୍କି ପୁଥାଳ ଧଳା ଘୁଷୁରୀ ଚାଷ କରି ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ତାଙ୍କ ସ୍ବାମୀ ଭୁବନେଶ୍ୱରରେ ଏକ ବ୍ୟବସାୟ କରୁଥିବା ବେଳେ ଗତ ଦୁଇ ବର୍ଷ ହେବ କୋରୋନା ମହାମାରୀ ଯୋଗୁଁ ବ୍ୟବସାୟରେ ତାଙ୍କର କ୍ଷତି ହେଉଛି । ପରିବାର ପ୍ରତିପୋଷଣ ପାଇଁ ପିଙ୍କି ପୁଥାଳ ନିଜ ଗାଁ ମାଟିରେ ଏକ ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଧଳା ଘୁଷୁରୀ ଚାଷ କେହି କରୁନଥିବାରୁ ଏହି ବ୍ୟବସାୟ କରିବାକୁ ମନ ବଳାଇଥିଲେ ପିଙ୍କି। ଆର୍ଥିକ ସମସ୍ୟା ଦେଇ ଗତି କରିବା ପରେ ନିଜ ଗାଁକୁ ଆସି ପରିବାରର ସହଯୋଗରେ ସେଠାରେ ନିଜ ଜାଗାରେ ପ୍ରାୟ ୨୫୦୦ ବର୍ଗଫୁଟ ଜାଗାରେ ଏକ ଫାର୍ମ କରି ଧଳା ଘୁଷୁରୀ ଚାଷ ଆରମ୍ଭ କରିଥିଲେ।

ଗୃହିଣୀରୁ ସଫଳ ଉଦ୍ୟୋଗୀ ଚାଷୀ

ଉତ୍ତର ପ୍ରଦେଶର ବୁଲନ୍ଦ ସହରରୁ ଲ୍ୟାଣ୍ଡରେଜ ଓ ହାଇବ୍ରିଡ ଏଫ-୧ ପ୍ରଜାତିର ୨୨ଟି ମାଈ ଘୁଷୁରୀ ଓ ୩ଟି ଅଣ୍ଡିରା ଘୁଷୁରୀ ଆଣି ଫାର୍ମ ଆରମ୍ଭ କରିଥିଲେ। ତେବେ ୨୦ ହଜାର ଟଙ୍କା ଲେଖାଏଁ ଗୋଟିଏ ଗୋଟିଏ ୧୦୦ କିଲୋ ଓଜନର ୨୫ଟି ଘୁଷୁରୀ କିଣିଥିଲେ। ଚାରି ମାସ ପରେ ଉକ୍ତ ମାଈ ଘୁଷୁରୀ ସବୁ ୧୦୦ଟି ଛୁଆ ଜନ୍ମ ଦେଇଥିଲେ। ଯାହାକି ତାଙ୍କ ପାଇଁ ରୋଜଗାରର ବାଟ ଖୋଲିବା ସହିତ ଅନ୍ୟ ବେ-ରୋଜଗାର ମାନଙ୍କୁ ମଧ୍ୟ ସେହି ଫାର୍ମରେ କାମଧନ୍ଦା ଯୋଗାଇ ଦେବା ସହିତ ଏହି ଚାଷ ପ୍ରତି ଇଚ୍ଛୁକ ଥିବା ମହିଳା ମାନଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ପିଙ୍କି।

ମୟୂରଭଞ୍ଜ ଜିଲ୍ଲାର କୌଣସି ସ୍ଥାନରେ ଧଳା ଘୁଷୁରୀ ଚାଷ ହୋଇ ନଥିବା ବେଳେ ନିଜ ପୁଅ ଶୁଭମ ଓ ସ୍ବାମୀ ଅଜିତଙ୍କ ସହଯୋଗରେ ପ୍ରଥମ କରି ଜଣେ ସଫଳ ମହିଳା ଚାଷୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ପୁଅ ଶୁଭମ ଭୁବନେଶ୍ୱରର ଏକ ଘରୋଇ କଲେଜରେ ବି-କମ୍ ଶେଷ ବର୍ଷରେ ପଢୁଥିବା ବେଳେ କୋରୋନା ମହାମାରୀ ଯୋଗୁଁ ଏବେ ଗାଁରେ ର‌ହି ଘୁଷୁରୀ ଚାଷରେ ମା’ଙ୍କୁ ସହଯୋଗ କରୁଛନ୍ତି। ଗୋଟିଏ ମାଈ ଘୁଷୁରୀ ଚାରି ମାସରେ ପାଖାପାଖି ୧୨ଟି ଛୁଆ ଜନ୍ମ ଦେଉଥିବା ବେଳେ ଘୁଷୁରୀ ଦାନା ଖାଇ ସାତ ମାସ ମଧ୍ୟରେ ଗୋଟିଏ ଘୁଷୁରୀ ୧୦୦ କିଲୋ ଓଜନର ହୋଇଥାଏ । ସେହି ସମୟ ମଧ୍ୟରେ ଗୋଟିଏ ଘୁଷୁରୀ ପିଛା ସାତ ହଜାର ଟଙ୍କା ପାଖାପାଖି ଖର୍ଚ୍ଚ ହୋଇଥାଏ। କିନ୍ତୁ, ଗୋଟିଏ ଘୁଷୁରୀ ୧୨ରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଯାଏ।

ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଆସାମରେ ମଧ୍ୟ ଏହାର ଚାହିଦା ଥିବାରୁ ଏସବୁ ରାଜ୍ୟକୁ ଏହି ଧଳା ଘୁଷୁରୀ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଉକ୍ତ ବ୍ୟବସାୟରେ ଯଦି ସରକାରଙ୍କ ତରଫରୁ କିଛି ଆର୍ଥିକ ସାହାଯ୍ୟ ମିଳି ପାରନ୍ତା ତେବେ ଧଳା ଘୁଷୁରୀ ଚାଷକୁ ଆହୁରି ଆଗକୁ ନେବା ସହିତ ଅଧିକରୁ ଅଧିକ ଲୋକଙ୍କୁ ରୋଜଗାରକ୍ଷମ କରି ହୁଅନ୍ତା ବୋଲି ପରିବାର ଲୋକେ କହିଛନ୍ତି।

କୋରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। କିନ୍ତୁ, ଜଣେ ମହିଳା ଚାଷୀ ଭାବେ ସଫଳତାର ସହ ଧଳା ଘୁଷୁରୀ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ବି ରୋଜଗାରର ବାଟ ଦେଖାଇଛନ୍ତି, ଯାହାକି ଆଧୁନିକ ଯୁଗରେ କୃଷି ପ୍ରତି ମୁହଁ ମୋଡୁଥିବା ଲୋକଙ୍କ ପାଇଁ ଏକ ଉଦାହରଣ ପ୍ରସ୍ତୁତ କରିପାରିଛନ୍ତି ପିଙ୍କି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details