ରାଇରଙ୍ଗପୁର: ଅଜଣା ଗାଡି ଧକ୍କାରେ ଜଣେ ମୃତ । ରାଇରଙ୍ଗପୁର ଅଞ୍ଚଳର ଜଣେ ବ୍ୟକ୍ତି ରାସ୍ତା ପାର ହେବା ସମୟରେ ଗୋଟିଏ ଅଜଣା ଟ୍ରକ ଧକ୍କା ଦେଇଥିଲା ।ଯାହାଫଳରେ ଘଟଣା ସ୍ଥଳରେ ହିଁ ସପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ ମୃତ ବ୍ୟକ୍ତିଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ଯାଇଥିଲା ।ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ଗ୍ରାମ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ଘଟିଛି ଏପରି ଏକ ସଡ଼କ ଦୁର୍ଘଟଣା । ମୃତ ବ୍ୟକ୍ତି ଜଣକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେନ୍ଦ୍ରେଇ ଗ୍ରାମର ୪୫ ବର୍ଷୀୟ ନାସୀର ହୁସେନ । ଅନୁମାନ କରାଯାଉଛି ଜାତୀୟ ରାଜପଥରେ କୌଣସି ଗାଡ଼ି ଧକ୍କା ଦେଇ ଦ୍ରୁତ ଗତିରେ ଖସି ପଳାଇ ଯାଇଛି ।
ସୂଚନା ଅନୁଯାୟୀ, ଆଜି(ଗୁରୁବାର) ଭୋର ସକାଳୁ କେନ୍ଦ୍ରେଇ ଗ୍ରାମର ସ୍ବର୍ଗତ ସେକ ସବରାତିଙ୍କ ପୁଅ ନାସିର ହୁସେନ କୌଣସି କାମରେ ବିଶୋଇ ଅଞ୍ଚଳକୁ ଯାଇଥିଲେ ।ତେବେ ଭୋର ୪.୦୦ ଟା ସମୟରେ ଖଡମବେଡା ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥରେ ଚାଲି ଚାଲି ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ ଧକ୍କା ଦେଇଥିବା ଗାଡିଟି ନାସିର ହୁସେନଙ୍କୁ କିଛି ଦୂର ଘୋଷାଡି ନେଇଯାଇଥିଲା । ଫଳରେ ତାଙ୍କର ଶରୀରରୁ ମୁଣ୍ଡଟି ଅଲଗା ହୋଇ ଯାଇଥିଲା । ଘଟଣା ସ୍ଥଳରେ ହିଁ ନାସିରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଧକ୍କା ଦେଇଥିବା ଗାଡିଟି ଘଟଣା ସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲା ।