ବାରିପଦା: ଦିନେ ନୁହେଁ କି ଦି ଦିନ ନୁହେଁ ଗତ 10 ବର୍ଷ ହେବ ହଜାର ହଜାର ପାରାଙ୍କୁ ଖାଦ୍ୟ ଯୋଗାଉଛନ୍ତି ଏହି ଟ୍ରାଫିକ ପୋଲିସ । ଆଉ ନିଜର ଏହି ମହତ କାର୍ଯ୍ୟ ପାଇଁ ଏବେ ସ୍ଥାନୀୟ ଅଞ୍ଚଳରେ ‘ବାର୍ଡ ମ୍ୟାନ’ ଭାବେ ପରିଚିତ ହୋଇପାରିଛନ୍ତି ବାରିପଦା ସହରର ସୁରଜ କୁମାର ରାଜ । କେବଳ ପକ୍ଷୀ ନୁହେଁ ରାସ୍ତାରେ ବୁଲୁଥିବା ଗାଈ ଗୋରୁଙ୍କ ପାଇଁ ବି ତାଙ୍କର ରହିଛି ଦରଦ ।
ଟ୍ରାଫିକ ନିୟନ୍ତ୍ରଣ ସହ ପକ୍ଷୀଙ୍କୁ ଦାନା ଯୋଗାଉଛନ୍ତି ବାରିପଦାର ‘ବାର୍ଡ ମ୍ୟାନ’ ପେଶାରେ ସେ ଜଣେ ଟ୍ରାଫିକ ପୋଲିସ । ହେଲେ ନିଜର କର୍ତ୍ତବ୍ୟ ଭଳି ପ୍ରତିଦିନ ସେ ପାରାମାନଙ୍କୁ ଖାଇବାକୁ ଦିଅନ୍ତି ଖାଦ୍ୟ । ଆଉ ତାଙ୍କ ଭଲ ପାଇବାର ସ୍ବାଦ ଚାଖିବା ପରେ ଏଇ କଥା କହିପାରୁନଥିବା ପକ୍ଷୀ ତାଙ୍କ ଆସିବା ବାଟକୁ ପ୍ରତିଦିନ ଅନେଇ ବସିଥାନ୍ତି । ମୟୂରଭଞ୍ଜ ଜିଲ୍ଲା ବାରିପଦାର ଟାଉନ ଥାନାର ଏହି ପକ୍ଷୀ ପ୍ରେମୀ ହେଉଛନ୍ତି ଟ୍ରାଫିକ ପୋଲିସ ସୁରଜ କୁମାର ରାଜ ।
କାମକୁ ଆସିବା ବେଳକୁ ପ୍ରତିଦିନ ସେ ସାଥିରେ ନେଇ ଆସନ୍ତି ଖାଦ୍ୟ । ଦିନେ ନୁହେଁ ଦୁଇ ଦିନ ନୁହେଁ ଦୀର୍ଘ 10 ବର୍ଷ ହେବ ସେ ଏମିତି ପାରାଙ୍କୁ ଦେଉଛନ୍ତି ଖାଦ୍ୟ । ପ୍ରତିଦିନ ସୂର୍ଯ୍ୟ ଉଦୟ ହେଲେ ସୂରଜଙ୍କୁ ଅନେଇ ବସିଥାନ୍ତି ହଜାର ହଜାର ପାରା। ଆଉ ତାଙ୍କର ବୁଲେଟ ଶବ୍ଦ ଶୁଣିଲେ ଉଡି ଆସି ତାଙ୍କ କାନ୍ଧ ଉପରେ ବସିଯାଆନ୍ତି । ବେଶ ଖୁସି ମନରେ ଖାଦ୍ୟ ଖାଇଥାନ୍ତି। ତେବେ ନିଜ କାମ ଭଳି ପାରାଙ୍କୁ ଖାଦ୍ୟ ଦେବା ମୋତେ ଖୁବ ଖୁସି ଦେଇଥାଏ ବୋଲି କହନ୍ତି ସୁରଜ ।
କେବଳ ଏତିକି ନୁହେଁ ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତି ସେ । ବାରିପଦାବାସୀ ମଧ୍ୟ ସୁରଜଙ୍କ ଏହି କାର୍ଯ୍ୟକୁ ନେଇ ଗର୍ବିତ । ତେଣେ ପୋଲିସ ପ୍ରତି ଜନସାଧାରଣଙ୍କ ଭାବନା କିଛି ଅଲଗା ଥିବା ବେଳେ ଟ୍ରାଫିକ ପୋଲିସଙ୍କ ଏହି କାର୍ଯ୍ୟକୁ ଭୁରି ଭୁରି ପ୍ରସଂଶା କରିଛନ୍ତି ବାରିପଦାବାସୀ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ