ରାଇରଙ୍ଗପୁର: ମାଛ ଧରିବାକୁ ଯାଇ ଅଫେରା ରାଇଜରେ ଯୁବକ । ବଜ୍ରାଘାତ ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ହାଣ୍ଡିଫୁଟା ଗ୍ରାମରେ । ସୂଚନା ଅନୁଯାୟୀ, ହାଣ୍ଡିଫୁଟା ଗ୍ରାମ ଗଡାସାହିର କୁଶାଲ ମାରାଣ୍ଡି ମାଛ ଧରିବା ପାଇଁ ଭୋରରୁ ବାଙ୍କୋବଳ ବନ୍ଧକୁ ଯାଇଥିଲେ । ସେ ସମୟରେ ବର୍ଷା ମଧ୍ୟ ହେଉଥିଲା ।
ତେବେ କୁଶାଲ ମାଛ ଧରୁଥିବା ସମୟରେ ହଠାତ୍ ବଜ୍ରାଘାତ ହୋଇଥିଲା । ଏହି ବଜ୍ରାଘାତ ହେବାରୁ କୁଶାଲ ସେହିଠାରେ ହିଁ ଟଳି ପଡ଼ିଥିଲେ । ସେହି ସମୟରେ ଗାଧୋଇବାକୁ ଯାଇଥିବା ସ୍ଥାନୀୟ ଲୋକେ କୁଶାଲ ପାଣିରେ ଭାସୁଥିବା ଦେଖି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବିଶୋଇ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରେ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ ସବୁଦିନ ପରି କୁଶାଲ ମଙ୍ଗଳବାର ମଧ୍ୟ ବନ୍ଧକୁ ମାଛ ଧରିବାକୁ ଯାଇଥିଲେ । ଘରକୁ ଫେରିଲେ ପରିବାର ସହ ଏକାଠି ଖାଇବେ ବୋଲି ମଧ୍ୟ କହିିକି ଯାଇଥିଲେ । ହେଲେ କିଏ ବା ଜାଣିଥିଲା ଯେ କୁଶାଲଙ୍କ ଆଉ ଘରବାହୁଡ଼ା ହେବ ନାହିଁ ବୋଲି (lightning strike in Rairangpur) । ମାଛ ଧରିବାକୁ ଯିବାର ଦୀର୍ଘ ସମୟ ଯାଏଁ କୁଶାଲ ଘରକୁ ନଫେରିବାରୁ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା । ଏହାକୁ ନେଇ ଗ୍ରାମର କିଛି ଲୋକେ କୁଶାଲ ମାଛ ଧରିବାକୁ ଯାଇଥିବା ବନ୍ଧ ନିକଟକୁ ଯାଇଥିଲେ ।