ରାଇରଙ୍ଗପୁର: ନଦୀରୁ ଜୋତା ଆଣିବା ହେଲା କାଳ । ଭାସି ଯାଉଥିବା ଜୋତାକୁ ନଦୀରୁ ଆଣିବା ବେଳେ ବୁଡିଯାଇ ଜଣେ ୨୧ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ । ଏପରି ଏକ ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ହଳଦା ଗ୍ରାମ ନିକଟସ୍ଥ ଖଡଖାଇ ନଦୀରେ ।
ସୂଚନା ଅନୁଯାୟୀ, ରାଇରଙ୍ଗପୁର କୁଚେଇବୁଢୀର ସ୍ବର୍ଗତ କୁଲଦୀପ ରାମଙ୍କ ଏକମାତ୍ର ପୁଅ ଆୟୁଷ ରାମ ଦୁଇ ସାଙ୍ଗଙ୍କ ସହ ଦିନ ଦ୍ବିପହରରେ ହଳଦା ଗ୍ରାମ ନିକଟସ୍ଥ ଖଡଖାଇ ନଦୀ କୂଳକୁ ବୁଲିବା ପାଇଁ ଯାଇଥିଲେ । ନଦୀ କୂଳରେ ତିନି ସାଙ୍ଗ ଛିଡ଼ା ହୋଇଥିବା ସମୟରେ ଜଣେ ସାଙ୍ଗର ଜୋତାଟି ନଦୀ ପାଣିରେ ପଡି ଯାଇଥିଲା ।
ତିନି ଜଣ ସାଙ୍ଗ ହାତକୁ ହାତ ଧରି ଜୋତାଟିକୁ ଆଣୁଥିବା ବେଳେ ଗୋଡ଼ ଖସି ଯିବାରୁ ନଦୀ ପାଣିରେ ବୁଡି ଯାଇଥିଲେ ଆୟୁଷ । ଦୁଇ ଜଣ ସାଙ୍ଗ ଆୟୁଷକୁ ଉଦ୍ଧାର କରି ନପାରି ପାଖରେ ଥିବା ଜଣେ ଯୁବକଙ୍କୁ ଉଦ୍ଧାର ପାଇଁ ଡାକିଥିଲେ । ତୁରନ୍ତ ଯୁବକ ଜଣକ ନଦୀ ପାଣିରେ ଡେଇଁ ଆୟୁଷକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।