ରାଇରଙ୍ଗପୁର :ପୋଖରୀରେ ବୁଡିଯିବାରୁ 11ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ନିହାଣଗଣ୍ଡି ଗ୍ରାମରେ। ମୃତ ବାଳକ ଜଣକ ହେଉଛି ନିହାଣଗଣ୍ଡି ଗ୍ରାମର ରବୀନ୍ଦ୍ର ଜେନାଙ୍କ ଏଗାର ବର୍ଷର ପୁଅ ଗିରିଧାରୀ ଜେନା । ଗିରିଧାରୀ ପୋଖରୀରେ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତାବଶତଃ ପାଣିରେ ବୁଡିଯିବାରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗିରିଧାରୀ ସାଙ୍ଗମାନଙ୍କ ସହିତ ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ହେଲେ ଏ ବିଷୟରେ ପରିବାରଲୋକଙ୍କୁ ଜଣାଇ ନଥିଲା ଗିରିଧାରୀ । ଘରେ କାହାକୁ ନ ଜଣାଇ ଦୁଇ ଜଣ ସାଙ୍ଗଙ୍କ ସହିତ ମହାଦେବ ମନ୍ଦିର ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଗିରିଧାରୀ ସହିତ ଅନ୍ୟ ଦୁଇ ଜମ ସାଙ୍ଗମାନେ ମଧ୍ୟ ଏକାଠି ପୋଖରୀରେ ଗାଧୋଉଥିଲେ । ତେବେ ସେଠାରେ ଗାଧୋଉଥିବା ସମୟରେ ଗଭୀର ପାଣି ମଧ୍ୟକୁ ଚାଲି ଯାଇଥିବାରୁ ଅସାବଧାନତାବଶତଃ ସେଠାରେ ସେ ବୁଡ଼ି ଯାଇଥିବା ଜଣାପଡିଛି। ବୁଡିଯିବା ସମୟରେ ଗିରିଧାରୀର ସାଙ୍ଗମାନେ ତାକୁ ଉଦ୍ଧାର କରିବା ପାଇଁ ବହୁତ ଚେଷ୍ଟା କରିଥିଲେ । ହେଲେ ପୋଖରୀ ଗଭୀର ଥିବାରୁ ପୋଖରୀ ଭିତରକୁ ଯାଇ ଗିରିଧାରୀକୁ ଉଦ୍ଧାର କରିବା ଦୁଇ ସାଙ୍ଗଙ୍କ ପକ୍ଷରେ ସମ୍ଭବ ହୋଇନଥିଲା ।