ମାଲକାନଗିରି:ପ୍ରେମ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ପୁଅଠାରୁ ଝିଅକୁ ଛଡାଇ ନେଲେ ଝିଅ ଘର ଲୋକେ । ଶେଷରେ ଫଳ ଏମିତି ହେଲା ଯେ ମାନସିକ ଭାରସାମ୍ୟ ହରାଇ କିଟନାଶକ ପିଇ ଆତ୍ମହତ୍ୟା କଲେ ଯୁବକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି୯ ଗାଁରେ । ଗ୍ରାମର ସୁଜିତ ହାଲଦାର ନାମକ ଜଣେ ବଙ୍ଗୀୟ ଯୁବକ ପଡୋଶୀ ବୈଲାପାରି ଗ୍ରାମର ଜଣେ ଆଦିବାସୀ ଯୁବତୀଙ୍କୁ ଭଲ ପାଉଥିଲେ । ଘର ଲୋକେ ଏଥିରେ ରାଜି ନ ହେବାରୁ ଦୁହେଁ ଘରୁ ଲୁଚିକରି କୋର୍ଟରେ ବିବାହ କରିଥିଲେ । ପରେ ଜଣେ ସଂପର୍କୀୟଙ୍କ ଘରେ ଆସି ଦୁହେଁ ବଙ୍ଗୀୟ ରିତିନୀତିରେ ବିବାହ ହୋଇଥିଲା ।
ମାତ୍ର ଦୁହେଁ ସାତ ଜନ୍ମ କ'ଣ ସାତ ଦିନ ପର୍ଯ୍ୟନ୍ତ ଏକାଠି ରହି ପାରିଲେ ନାହିଁ । ଦୁଇ ଦିନ ପରେ ବୋହୂକୁ ସାଥିରେ ନେଇ ପୁଅ ନିଜ ଘରକୁ ଫେରିଥିଲା । ହେଲେ ଏହାର ଦିନକ ପରେ ଝିଅ ଘର ଲୋକେ ଝିଅକୁ ପୁଣି ଥରେ ବାପ ଘରକୁ ଫେରାଇ ନେଇଥିଲେ । ମାଆ ସହିତ ଦେଖା ହେବା ପରେ ଝିଅକୁ ଫେରାଇ ଦେବା କଥା କହି ଝିଅକୁ ଆଉ ନଦେବାରୁ ମାନସିକ ଭାରସାମ୍ୟ ହରାଇ ତିନି ଦିନ ତଳେ କିଟନାଶକ ପିଇ ଥିଲେ ସୁଜିତ । ଚିକିତ୍ସାଧୀନ ଅବସ୍ଥାରେ ଆଜି (ମଙ୍ଗଳବାର) ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଛି ।