ମାଲକାନଗିରି:ଫେକ୍ ବିଦ୍ୟୁତ ବିଲ୍ କରି ଟଙ୍କା ଲୁଟ୍ କରିବା ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ୟୁଟ୍ୟୁବରୁ ଶିଖି ଫେକ ବିଦ୍ୟୁତ ବିଲ ତିଆରି କରୁଥିଲେ ଏହି ଯୁବକ ଜଣକ । ଏପରି କରି ଦୀର୍ଘ ଦିନ ଧରି ଠକି ଆସୁଥିଲେ ନିରୀହ ଗରିବ ଆଦିବାସୀ ଲୋକମାନଙ୍କୁ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକରେ । ଓରକେଲ ଥାନା ଅନ୍ତର୍ଗତ ଏମଭି-୩୦ ଗାଁର ନବ କିଶୋର ବିଶ୍ବାସ ଟାଟା କମ୍ପାନୀ ବିଲିଂ ନିମନ୍ତେ ହସ୍ତାନ୍ତର କରିଥିବା ସାଇ କମ୍ପ୍ୟୁଟର ନାମକ କମ୍ପାନୀ ଅଧୀନରେ ବିଦ୍ୟୁତ ବିଲିଂ ଆଦାୟ କର୍ମଚାରୀ ଭାବେ କାମ କରି ଆସୁଥିଲେ ।
କିନ୍ତୁ କିଛି ମାସ ପୂର୍ବେ ସେ ୟୁଟ୍ୟୁବରୁ କିପରି ଫେକ ବିଦ୍ୟୁତ ବିଲ ତିଆରି କରାଯାଇ ବଣ୍ଟା ଯାଇ ପାରିବ ତାହା ଶିକ୍ଷା ଗ୍ରହଣ କରିଥିଲେ । ସେହି କୌଶଳକୁ ଆପଣାଇ ସେ ଫେକ ବିଦ୍ୟୁତ ବିଲ ତିଆରି କରିବାରେ ସକ୍ଷମ ହୋଇଥିଲେ । ତେବେ କାର୍ଯ୍ୟରତ ନବ କିଶୋର କୋରୁକୋଣ୍ଡା ବ୍ଲକର ସୋମନାଥପୁର ପଞ୍ଚାୟତ ଏବଂ ଚିତାପାରି-୩ ପଞ୍ଚାୟତର କିଛି ଗ୍ରାମ ରହିଥିବା ବେଳେ ସେ ଆଜକୁ ଦୀର୍ଘ ୩ ମାସ ଧରି ଗ୍ରାହକଙ୍କ ଠାରୁ ଏଭଳି ଲୁଟୁଥିବା ଘଟଣା ପଦାକୁ ଆସିଛି ।