ମାଲକାନଗିରି:ଜିଲ୍ଲା ଥାନା ଅନ୍ତର୍ଗତ ପଦ୍ମଗିରି ଠାରେ ବିଦେଶୀ ମଦ ବିକ୍ରି ଏବଂ ଦୋକାନ ନଖୋଲିବାକୁ ବିରୋଧ କରିଛନ୍ତି ଶତାଧିକ ମହିଳା । ଜିଲ୍ଲାପାଳଙ୍କୁ ଭେଟି ଦୋକାନ ନଖୋଲିବାକୁ ଦାବି କରିଛନ୍ତି । ପଦ୍ମଗିରି ଅଞ୍ଚଳରେ ବିଦେଶୀ ମଦ ଦୋକାନ ଖୋଲିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ପଦ୍ମଗିରି ସରପଞ୍ଚ ସୁନନ୍ଦ ମାଡକାମୀ, ନାଏବ ସରପଞ୍ଚ ରମିଲା ନାୟକ ସମେତ ଶତାଧିକ ସ୍ଥାନୀୟ ମହିଳା ମାଲକାନଗିରି ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟିଥିଲେ ।
ପଦ୍ମଗିରିରେ କିପରି ଲୋକେ ମଦ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି ବୋଲି ମହିଳାମାନେ ଯୁକ୍ତି ବାଢିଥିଲେ । ଅଞ୍ଚଳର ଲୋକ ମଦ ଦୋକାନ ଖୋଲିବା ନେଇ ରାଜି ଥିବା ନେଇ ପ୍ରଶାସନକୁ ଅବଗତ କରାଇଥିବା ବେଳେ ମହିଳାମାନେ ଏହାକୁ ତଦନ୍ତ କରାଯାଇ କେଉଁମାନେ ଏଭଳି କାମ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉ ବୋଲି ଦାବି କରିଥିଲେ । ଅଞ୍ଚଳରେ ମଦ ବିକ୍ରି ହେଲେ ବିଶେଷକରି ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେବା ସହ ପ୍ରତିଦିନ ଘରେ ଗଣ୍ଡଗୋଳ ଅଶାନ୍ତି ଦେଖାଦେବ । ପିଲାଛୁଆଙ୍କ ଭବିଷ୍ୟତ ନଷ୍ଟ ହେବାର ସମ୍ଭାବନା ରହିଥିବା ମହିଳାମାନେ କହିଥିଲେ । ତେଣୁ ଏହାକୁ ଗୁରୁତ୍ବର ସହ ନେଇ ଏ ଅଞ୍ଚଳରେ ମଦ ଦୋକାନ ନଖୋଲିବାକୁ ଦାବି କରାଯାଇଛି ।