ମାଲକାନଗିରି: ପାହାଡ ପର୍ବତ ଘେରା ମାଓ ପ୍ରବଣ କୁହାଯାଉଥିବା ମାଲକାନଗିରି ଜିଲ୍ଲା । ଏହି ଜିଲ୍ଲାର 7ଟି ବ୍ଲକରେ 111ଟି ପଞ୍ଚାୟତ ରହିଛି । ଏହି ୭ଟି ବ୍ଲକର ଉନ୍ନୟନମୂଳକ କାମର ଦାୟିତ୍ବ ରହିଥାଏ DRDA କାର୍ଯ୍ୟାଳୟର । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସରକାର ବିଭିନ୍ନ ଯୋଜନାମାନ କରୁଛନ୍ତି କିନ୍ତୁ, ଲୋକଙ୍କ ପାଖରେ ଏହିସବୁ ଯୋଜନାମାନ ପହଞ୍ଚିବା ବିଳମ୍ବ ହେବା ସହ ଜିଲ୍ଲାରେ ଉନ୍ନୟନ ମୂଳକ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ।
ପୂର୍ବରୁ ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ ରହୁଥିବା 151ଟି ଗାଁକୁ ଉନ୍ନତିକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ତିନି ବର୍ଷ ପୂର୍ବେ ଗୁରୁପ୍ରିୟା ସେତୁ ଉଦଘାଟନ କରି ବିଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ରୂପେ ଘୋଷଣା କରିଥିଲେ ଏବଂ ସେତୁ ଯୋଜନାରେ ଏ ଅଞ୍ଚଳର ଉନ୍ନତି ପାଇଁ ସହ ସହ କୋଟି ଟଙ୍କାର ଅନୁମୋଦନ ବି କରିଛନ୍ତି କିନ୍ତୁ, ଉନ୍ନୟନ ମୂଳକ କାର୍ଯ୍ୟ ହେବାରେ ବହୁ ବିଳମ୍ବ ହେଉଛି । ଏଭଳି ମନ୍ଥର ଗତିରେ କାମ ଖାଲି ସ୍ବାଭିମାନ ଅଞ୍ଚଳରେ ନୁହେଁ ସମ୍ପୂର୍ଣ୍ଣ ଜିଲ୍ଲାରେ ଏପରି ଅବସ୍ଥା । ଏଣୁ ଜିଲ୍ଲାରେ ଉପଯୁକ୍ତ ଭିତ୍ତିଭୂମି ଥିଲେ ମଧ୍ଯ ପଞ୍ଚାୟତରାଜ ବିଭାଗରେ ବହୁ ସରକାରୀ ପଦବି ଖାଲି ରହିଥିବା ହେତୁ ହିତାଧିକାରୀଙ୍କ ପାଖରେ ବହୁ ଯୋଜନାମାନ ଏବଂ ଅଞ୍ଚଳର ଉନ୍ନୟନ କାମ ପହଞ୍ଚିବାରେ ବିଳମ୍ବ ହେଉଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି ।