ଓଡିଶା

odisha

ETV Bharat / state

ଉସକାଲବାଗରେ ପ୍ରସ୍ତାବିତ ଚୂନ ପଥର ଖଣି ଖନନକୁ ବିରୋଧ, ଆଦିବାସୀ ସଂଘର ପ୍ରଜାମେଳି - ଜଙ୍ଗଲ ଜମି ନଷ୍ଟ

ମାଲକାନିଗିରି ଉସକାଲବାଗରେ ୧୦୦ ହେକ୍ଟର ଜମି ଲିଜ୍‌ ନେବାକୁ ଉଦ୍ୟମ ଆରମ୍ଭ କରିଛି କମ୍ପାନୀ । ଏହାକୁ ବିରୋଧ କରି ଆଜି ଉସକାଲବାଗରେ ଆଦିବାସୀ ସମାବେଶ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 29, 2023, 4:34 PM IST

ମାଲକାନଗିରି:ଜିଲ୍ଲାର ଖଣିଜ ପଦାର୍ଥ ଉପରେ ପଡିଛି ବିଭିନ୍ନ କମ୍ପାନୀର ଆଖି । ଏହା ଦ୍ଵାରା ଜଙ୍ଗଲ ଜମି ନଷ୍ଟ ହେବ । ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ । ଜଙ୍ଗଲ ସେମାନଙ୍କୁ ଦଶନ୍ଧି ଧରି ବିଭିନ୍ନ ଖାଦ୍ୟ ସାମଗ୍ରୀ ଯୋଗାଇ ଆସୁଛି । ତେଣୁ ଏହା ବିରୋଧରେ ଆଜି ଉସକାଲବାଗରେ ଆଦିବାସୀମାନେ ଏକ ସମାବେଶ କରିଛନ୍ତି । କୌଣସି ପରିସ୍ଥିତିରେ ଆଦିବାସୀମାନଙ୍କୁ ବିସ୍ଥାପିତ ହେବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ପ୍ରସ୍ତାବିତ ଚୂନ ପଥର ଖଣି ଖନନକୁ ବିରୋଧ ଏବେ ତୀବ୍ର ହେବାରେ ଲାଗିଛି । ଆଦିବାସୀ ସଂଘ ପକ୍ଷରୁ ଏହି ବିରୋଧ କରାଯାଇଛି । ଜୀବନ ଦେବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ଆଦିବାସୀମାନେ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଉସ୍କଲବାଗଠାରେ ଆଦାନୀ ଗ୍ରୁପ ଚୂନ ପଥର ଖନନ ପାଇଁ ଟେଣ୍ଡର ପାଇଛି । ତେବେ ଏଠାରେ ଚୂନ ପଥର ଖନନ କଲେ ଆଦିବାସୀମାନେ ନିଜର ଭିଟାମାଟି ହରାଇବା ସହ ଜଳ, ଜଙ୍ଗଲ, ଜମି ସହ ପ୍ରାକୃତିକ ସମ୍ପଦ ନଷ୍ଟ ହେବ । ଏହାସହ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ କୌଣସି ପ୍ରକାର ନୀତି ନିୟମକୁ କାର୍ଯ୍ୟକାରୀ କରାଯାଇନାହିଁ । ପେସା ଆକ୍ଟକୁ ମଧ୍ୟ ଅଣଦେଖା କରି କମ୍ପାନୀକୁ ସୁହାଇଲା ଭଳି କାର୍ଯ୍ୟ କରି ଆଦିବାସୀମାରଣ କାର୍ଯ୍ୟ କେନ୍ଦ୍ର ରାଜ୍ୟ ସରକାର କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- ଦିନିକିଆ ମାଲକାନଗିରି ଗସ୍ତରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଉନ୍ନୟନମୂଳକ ପ୍ରକଳ୍ପର କଲେ ସମୀକ୍ଷା

ପଲ୍ଲୀସଭା କି ଗ୍ରାମସଭା ନ କରି କିଭଳି ଭାବରେ ଖଣି ଖନନ ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ଆଦିବାସୀମାନେ ପ୍ରଶ୍ନ କରିଛନ୍ତି । ଏହାକୁ ବିରୋଧ କରି ଆଦିବାସୀମାନେ ଆଜି ନିଜର ଶକ୍ତି ପ୍ରଦର୍ଶନ କରି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଆଜି ମଧ୍ୟାହ୍ନରେ ଉସକାଲବାଗ ଆମ୍ବ ବଗିଚାରେ ଜିଲ୍ଲା ଆଦିବାସୀ ସଂଘ ଓ ବିଭିନ୍ନ ଗାଁ ମୁଖିଆଙ୍କୁ ନେଇ ଏହି ସମବେଶ ହୋଇଥିଲା । ସଂଘ ସଭାପତି ବାଲରାଜୁ ଗେମେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ବିଭିନ୍ନ କମ୍ପାନୀକୁ ବିରୋଧ କରାଯାଇଥିଲା । ସମାବେଶରେ ମାଟାପେକା, ନିଲିଗୁଡ଼ା, ମାଟେରୁ ପଞ୍ଚାୟତର ଶହଶହ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

ଆଦିବାସୀ ନେତା କୃଷ୍ଣ ପଡ଼ିଆମୀ, କମଳସାଇ ମାଝୀ, ବାସନ୍ତୀ କାର୍ଭାମୀ, ବୁଦ୍ରା କାର୍ତ୍ତାମୀ, ରାଜୁ ମାଡ଼ି, ଆଇତା କବାସୀ, ବିନାୟକ ମାଡକାମୀ, ସୋନୁ ଅନୁଗୁ, ବସନ୍ତ ମାଡ଼ି, ଘନ ନାୟକ, ବନ୍ଧୁ ମୁଦୁଲି, ଆଇତା ମାଡ଼ି, ଗଙ୍ଗା କାରାମୀ, ମୁନି ମାଡକାମୀ, ରଙ୍ଗ ପଡ଼ିଆମୀ ପ୍ରମୁଖ ବହୁ ଗାଁ ଲୋକେ ଯୋଗଦେଇ ବିରୋଧ କରିଥିଲେ । ସୂଚନାଥାଉ କି, ମାଟାପେକା, ମାଟେରୁ, ନିଲିଗୁଡା, ନନ୍ଦିବେଢା, କତାମାଟେରୁ, ଉସକାଲବାଗ ଅଞ୍ଚଳରେ ପ୍ରଚୁର ଗ୍ରାନାଇଟ, ମାର୍ବଲ ଓ ଚୂନପଥର ପାହାଡ଼ ରହିଛି। ଏସବୁ ଖଣିଜ ଦ୍ରବ୍ୟକୁ ନେବା ଲାଗି ବିଭିନ୍ନ କମ୍ପାନୀ ଏବେ ଜିଲ୍ଲାରେ ପ୍ରବେଶ କରିଛନ୍ତି। କତାମାଟେରୁ, ମାଟପେକା, ନନ୍ଦିବେଢାରେ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା ଲାଗି ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ଉସକାଲବାଗରେ ଏକ କମ୍ପାନୀ ଗ୍ରାନାଇଟ୍ ପଥର ଉତ୍ତୋଳନ କରିବା ଲାଗି ପ୍ରାୟ ୧୦୦ ହେକ୍ଟର ଜମି ଲିଜ୍‌ ନେବାକୁ ଉଦ୍ୟମ ଆରମ୍ଭ କରିଛି। ଏହାକୁ ବିରୋଧ କରି ଆଜି ଉସ୍‌କାଲବାଗରେ ଆଦିବାସୀ ସମାବେଶ କରାଯାଇଥିଲା ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details