ମାଲକାନଗିରି:ମୁଣ୍ଡ ଝାଳ ତୁଣ୍ଡରେ ମାରି ଟମାଟୋ ଚାଷ କରିଥିଲେ ଚାଷୀ । ଆଶା ରଖିଥିଲେ ଟମାଟୋ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବେ । କିନ୍ତୁ ଚାଷୀଙ୍କ ସ୍ବପ୍ନ ପୂରଣ ହେବା ପୂର୍ବରୁ ଟମାଟୋ ଚାଷକୁ ଉଜାଡି ଦେଲା ପଶ୍ଚିମା ଝଡ । ଫଳରେ ଚିନ୍ତାରେ ଏବେ ମାଲକାନଗିରି ଜିଲ୍ଲାର ଚାଷୀ । ପଶ୍ଚିମା ଝଡ ଯୋଗୁଁ ଜିଲ୍ଲାର ଏମ୍ ଭି 15 ଗ୍ରାମର 48 ଜଣ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଟମାଟୋ ଚାଷ ଅଦିନିଆ ଝଡରେ ଉଜୁଡିଯିବା ପରେ ଋଣ କରିଥିବା ଟଙ୍କାକୁ କିପରି ସୁଝିବେ ସେନେଇ ଚିନ୍ତାରେ ଚଷା ପୁଅ ।
କେବଳ ଟମାଟୋ ଚାଷ ନୁହଁ ବରଂ କଖାରୁ,କଲରା, ଝୁଡ଼ଙ୍ଗ ଓ ତରଭୁଜ ନଷ୍ଟ ହୋଇଛି । ଏଥିନେଇ ଜିଲ୍ଲା କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିବା କହିଛନ୍ତି ଗ୍ରାମବାସୀ । ତେବେ ପଶ୍ଚିମାଝଡ ଯାଇ ସପ୍ତାହେ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଧା ଚାଷୀଙ୍କ ପାଖରେ ନା ପହଞ୍ଚିଛନ୍ତି କୃଷି ବିଭାଗ ଅଧିକାରୀ ଓ ରାଜସ୍ବ ବିଭାଗର ଅଧିକାରି କର୍ମଚାରୀ । ଏଭଳି ପରିସ୍ଥିତିରେ ସରକାରଙ୍କ ସହାୟତା ଉପରେ ନିର୍ଭର କରିଛନ୍ତି ଚାଷୀ ଭାଇ । ଯଦି ସରକାର ସେମାନଙ୍କୁ ସାହାଯ୍ୟ ନ କରନ୍ତି ତେବେ ଋଣ ସୁଝିନପାରିଲେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଚାଷୀମାନେ । ସରକାର ଏମ୍ ଭି 15 ଗ୍ରାମର ପରିବା ଚାଷୀଙ୍କ ଦୁଃଖ ଶୁଣୁଛନ୍ତି ନା ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା ।