ମାଲକାନଗିରି: ଜିଲ୍ଲା ଶିଖପାଲୀ ବାଦାମ ମଣ୍ଡିରେ ଚାଷୀଙ୍କ ଉତ୍ତେଜନା । ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ବାଦାମ ବିକ୍ରି ନହେବାରୁ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ଶିଖପାଲୀ ଲ୍ୟାମ୍ପ ଏମଡିଙ୍କୁ ଘେରିବା ସହ ବାଦାମ ଗୁଡିକ ଉଠାଇବା ପାଇଁ କହିଥିଲେ । ସରକାରୀ ନିୟମ ଅନୁସାରେ ୭୦ ପ୍ରତିଶତରୁ ଅଧିକ ଏଫଏକ୍ୟୁ ମାନ ଥିଲେ ବାଦାମ ଉଠିପାରିବ ବୋଲି ନିୟମ ରହିଛି ।
ତେବେ ମାଲକାନଗିରି ଚାଷୀଙ୍କ ବାଦାମ ଏଫଏକ୍ୟୁ ମାନର ହୋଇନଥିବାରୁ ଉଠିପାରୁନି ବୋଲି ଜଣାପଡିଛି । ଦୀର୍ଘ ୧୫ ଦିନ ହେବ ବାଦାମ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଗୋଟିଏ ବସ୍ତା ବି ବାଦାମ କିଣି ନାହିଁ ଲ୍ୟାମ୍ପ । ଏହି ଉତ୍ତେଜନାର ଖବର ପାଇ ମଣ୍ଡିରେ ପହଞ୍ଚିଥିଲେ ସ୍ଥାନୀୟ ବିଧାୟକ ଆଦିତ୍ୟ ମାଢି । ବିଧାୟକ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ସହ ଲ୍ୟାମ୍ପ କର୍ମଚାରୀଙ୍କ ସାଙ୍ଗରେ ଆଲୋନଚା କରିଥିଲେ । କିଭଳି ଚାଷୀଙ୍କ ବାଦାମ ଉଠାଯିବ ସେନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ବିଧାୟକ କହି ଥିବାବେଳେ ଜିଲ୍ଲାରେ ମିଳୁଥିବା ବାଦାମ ବିହନ ନିମ୍ନମାନର ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅନୁମାନ କରାଯାଉଛି । ଜିଲ୍ଲାରେ ୮ଟି ଲ୍ୟାମ୍ପ ଅଧିନରେ ୮ଟି ସ୍ଥାନରେ ବାଦାମ ମଣ୍ଡି କରାଯାଇଛି ।