ମାଲକାନଗିରି: ଲୋକଙ୍କୁ ନିମ୍ନମାନର ଖାଦ୍ୟ ଦେବା ଅଭିଯୋଗରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ହେଲା ମାଲକାନଗିରିର ସ୍ୱାଗତ ରେସ୍ତୋରାଁ । ଦିର୍ଘ ଦିନ ଧରି ଗ୍ରାହକମାନଙ୍କୁ କଞ୍ଚା ଓ ପଚା ଖାଦ୍ୟ ଦେବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଯାହାର ଅଭିଯୋଗ ପାଇବା ପରେ ମାଲକାନଗିରି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ରେସ୍ତୋରାଁରେ ଚଢ଼ାଉ କରି ଅନିର୍ଦ୍ଦିଷ୍ଟ ସମୟ ପାଇଁ ରେସ୍ତୋରାଁକୁ ସିଲ କରିଛନ୍ତି ।
ଚଢ଼ାଉ ବେଳେ ରେଫ୍ରିଜେଟରରେ ପୁରୁଣା ଖାଦ୍ୟ ରଖାଯାଇ ଗ୍ରାହକଙ୍କୁ ପରସୁଥିବା ଦେଖିବାକୁ ମିଳିଥିଲା । ଏହାପରେ ଆଇନ ଅନୁଯାୟୀ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟରେ ହୋଟେଲ କର୍ମଚାରୀମାନେ ନିଜ ଭୁଲ ସ୍ୱୀକାର କରିଛନ୍ତି । ପୂର୍ବରୁ ମଧ୍ୟ ନିମ୍ନ ମାନର ଖାଦ୍ୟ ଲୋକଙ୍କୁ ପ୍ରଦାନ କରାଯିବାର ଅଭିଯୋଗ ହୋଇଥିବା ବେଳେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ହୋଟେଲ ସ୍ୱାଗତର ରେସ୍ତୋରାଁକୁ ନୋଟିସ୍ କରାଯାଇଥିଲେ ସୁଦ୍ଧା କୌଣସି ଉତ୍ତର ଦିଆଯାଇ ନଥିଲା । ଏହାକୁ ନେଇ ହୋଟେଲକୁ ପାଞ୍ଚ ହଜାର ଟଙ୍କାର ଜରିମାନା ମଧ୍ୟ କରାଯାଇଥିଲା ।