ମାଲକାନଗିରି: ବଢୁଛି ତାତି । ଜଳୁଛି ଗାଁ ଠୁ ସହର । ଦିନ 10ଟାରୁ ଘରୁ ବାହାରକୁ ବାହରିବା ପାଇଁ ଡରୁଛନ୍ତି ଲୋକେ । ଗରମରୁ ତ୍ରାହି ପାଇବା ପାଇଁ ଡହଳ ବିକଳ ହେଉଛନ୍ତି ଜନତା । ମାଲକାନଗିରି ଜିଲ୍ଲାରେ ମଧ୍ୟ ପାରଦ ଏବେ ୪୨ ଡିଗ୍ରୀ ପାର କଲାଣି । ଆଉ ଏହି ଖରାରୁ ଲୋକଙ୍କୁ ଆଶ୍ବସ୍ତି ଦେଉଛି ଆଦିବାସିଙ୍କ ପାରମ୍ପାରିକ ଫଳ ତାଳ । ସହରୀ ବାବୁଙ୍କ ଠାରୁ ଆରମ୍ଭ କରି ଗାଁ ଗହଳିର ଲୋକେ ସମସ୍ତେ ଏହି ତାଳ ସଜ ଖାଇବା ସହ ତାଳ ରସକୁ ପିଇ ପେଟ ଥଣ୍ଡା କରୁଛନ୍ତି ।
ମାଲକାନଗିରିର କୋୟା ଆଦିବାସୀଙ୍କ ଏକ ପ୍ରାଚୀନ ପାରମ୍ପରିକ ଶୀତଳ ଫଳ ହେଉଛି ତାଳ । ପୂର୍ବରୁ ଗାଁ ଗହଳିରେ ହିଁ କେବଳ ଏହି ତାଳ ଦେଖିବାକୁ ମିଳୁଥିଲା । ତେବେ ଧିରେଧିରେ ଏହା ହେଉଛି ସହର ମୁହାଁ । ତେଣୁ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଏବେ ଏହି ତାଳ ସଜକୁ ବଜାରରେ ଆଣି ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ମାତ୍ର ଏହାର ଉଚିତ୍ ପାରିଶ୍ରମିକ ପାଇନଥାନ୍ତି ଏମାନେ । 10ଟି ଫଳକୁ ବିକ୍ରୀ କରି ମାତ୍ର 10ଟଙ୍କା ପାଆନ୍ତି ଏହି ସରଳ ଆଦିବାସୀ ।