ଓଡିଶା

odisha

ETV Bharat / state

ପିଲାଙ୍କ ଭବିଷ୍ୟତ ସହ ଖେଳ: ନାହିଁ ଶ୍ରେଣୀଗୃହ, ଗଛମୂଳେ ଚାଲିଛି ପାଠ ପଢା - ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ସ୍କୁଲ ଘରଟିଏ ନଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଗଛମୂଳେ ନାହିଁ ନାହିଁରେ ଚାଲିଛି ପାଠପଢା । ଦେଖନ୍ତୁ ଏହି ରିପୋର୍ଟ

ଗଛମୂଳେ ଚାଲିଛି ଭବିଷ୍ୟତ ଗଢା
ଗଛମୂଳେ ଚାଲିଛି ଭବିଷ୍ୟତ ଗଢା

By

Published : Dec 24, 2022, 4:38 PM IST

ଗଛମୂଳେ ଚାଲିଛି ଭବିଷ୍ୟତ ଗଢା

ମାଲକାନଗିରି:ସଭିଏଁ ପଢିବେ ସଭିଏଁ ବଢିବେ ନାରା ଦେଉଛନ୍ତି ସରକାର । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସରକାର ପ୍ରଣୟନ କରୁଛନ୍ତି ପୁଳାପୁଳା ଯୋଜନା । ଉନ୍ନତମାନର ଶିକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ହେଲେ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ? ମାଲକାନଗିରି ଜିଲ୍ଲାର ଏହି ସ୍କୁଲକୁ ଦେଖିଲେ ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ କଥା । ଖୋଲା ଆକାଶ ତଳେ ଗଛମୂଳେ ବସିଛନ୍ତି ଛାତ୍ରଛାତ୍ରୀ, ଆଉ ପାଠ ପଢାଉଛନ୍ତି ଶିକ୍ଷୟତ୍ରୀ । ଅନ୍ୟ ଏକ ସ୍କୁଲରେ ଝାଟିମାଟି ବାଉଁଶ କୁଡିଆରେ ଭିତରେ ଚାଲିଛି ଭବିଷ୍ୟତ ଗଢା । ଏହି ଦୃଶ୍ୟ ହିଁ ବୟାନ କରୁଛି କେତେ ସ୍ମାର୍ଟ ଆମ ସ୍କୁଲ ଏବଂ କେତେ ସୁଦୃଢ ଆମ ଶିକ୍ଷା ବ୍ୟବସ୍ଥା । ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଶିକ୍ଷାର ଏଭଳି ବିକଳ ଚିତ୍ର ।


ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳ, କୋରକୁଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ବାଟାଗୁଡା ଗାଁର କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ଗଛ ତଳେ ଛାଇରେ ବସାଇ ପାଠ ପଢାଉଛନ୍ତି ଶିକ୍ଷୟିତ୍ରୀ । ବାଟାଗୁଡା ଗ୍ରାମରେ କେବଳ ଦିଦାଇ ଜନଜାତିର ଆଦିବାସୀ ବସବାସ କରୁଛନ୍ତି । ଏଠାରେ ବହୁ ପୂର୍ବରୁ ଅଙ୍ଗନବାଡି ସେଣ୍ଟରଟିଏ ଥିଲା । କିନ୍ତୁ ହୁଡୁହୁଡୁରେ କେନ୍ଦ୍ରଟି ଭାଙ୍ଗିଯିବା ପରେ ସେହିଦିନ ଠାରୁ ଖୋଲା ଆକାଶ ତଳେ ଚାଲିଛି ଶିକ୍ଷାଦାନ । ବର୍ଷା ହେଲେ ଗାଁରେ ଥିବା ଓପିଲିସି ଗୃହରେ ପିଲାମାନଙ୍କୁ ପାଠ ପଢାଯାଉଛି । ପାଠ ପଢିବା ପାଇଁ ପିଲାଓ ଏବଂ ପାଠ ପଢାଇବା ପାଇଁ ଦହଗଞ୍ଜ ହେଉଛନ୍ତି ଶିକ୍ଷକ । ତେବେ ସ୍କୁଲଘର ଖଣ୍ଡେ ପାଇଁ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ନେଇ ଅଭିଯୋଗ ହୋଇଛି ।

ଏନେଇ ସ୍କୁଲ ଶିକ୍ଷୟିତ୍ରୀ କହିଛନ୍ତି, "ମୁଁ ଏଠାରେ ୪ ବର୍ଷ ହେଲା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛି । ୪ ବର୍ଷ ହୋଇଗଲା ସିନା ସ୍କୁଲ ଘର ଖଣ୍ଡେ ମିଳିଲା ନାହିଁ । ଦରଖାସ୍ତ ଦେଉଛୁ କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ । ଆଗରୁ ଅଙ୍ଗନବାଡି ଘରେ ପାଠ ପଢାଉଥିଲୁ । କିନ୍ତୁ ହୁଡୁହୁଡୁ ଆସି ତାକୁ ମଧ୍ୟ ଉଡାଇ ନେଇଗଲା । ତେଣୁ ପିଲାମାନଙ୍କୁ ଗଛମୂଳେ ଆଣି ପାଠ ପଢାଉଛୁ । ସ୍କୁଲ ଘରଟିଏ ଥିଲେ ପିଲାମାନେ ମଧ୍ୟ ପାଠ ପଢିବାକୁ ଆଗ୍ରହ ହୋଇଥାନ୍ତେ । କିନ୍ତୁ ତାହା ସମ୍ଭବ ହୋଇପାରୁନାହିଁ ।"

ଏହା ମଧ୍ୟ ପଢନ୍ତୁ: RTPCR Tests Mandatory: ଏହି 5 ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋରୋନା ଟେଷ୍ଟ ବାଧ୍ୟତାମୂଳକ

ଖାଲି ବାଟାଗୁଡା ଗାଁ ସ୍କୁଲ ନୁହେଁ ସେହିଭଳି ଅନ୍ୟ ଏକ ସ୍କୁଲ ହେଉଛି କାଲିମେଳା ବ୍ଳକ କୁର୍ମାନୁର୍ ପଞ୍ଚାୟତ ଅନ୍ତର୍ଗତ ଆରବାଟୀ ସରକାରୀ ପ୍ରାଥମିକ ବିଦ୍ୟାଳୟର । ଏଠି ସ୍କୁଲ ଅଛି ପିଲାମାନେ ସ୍କୁଲ ଆସୁଛନ୍ତି ସାର୍ ପିଲାମାନଙ୍କୁ ସ୍କୁଲ ଘରେ ବସାଇ ପାଠବି ପଢାଉଛନ୍ତି । ହେଲେ ଶ୍ରେଣୀଗୃହଟିଏ ନାହିଁ । ୧୯୭୨ ମସିହାରେ ପ୍ରତିଷ୍ଠା ହୋଇଛି ଏହି ସ୍କୁଲ । ଆଜକୁ ୫୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଦୀର୍ଘ ୫୦ ବର୍ଷ ହେଲା ଛାତ ଉପରେ ବାଉଁଶ ଏବଂ ତଳେ ଗୋବର ଚଟଣା ଉପରେ ବସି ଶିକ୍ଷାଗ୍ରହଣ କରୁଛନ୍ତି ପିଲାଏ । ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ଯେ ସତେ ଯେମିତି ସରକାରଙ୍କ ଆଖି ଆଢୁଆଳରେ ରହିଯାଇଛି ଏହି ସ୍କୁଲ ।

ତେବେ ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, "ଜିଲ୍ଲାରେ ଏଭଳି ସାତରୁ ଆଠଟି ସ୍କୁଲ ରହିଛି । ଏହି ସବୁ ସ୍କୁଲ ଘର ନୂତନଭାବେ କରାଯିବା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । ବହୁତ୍ ଶିଘ୍ର କାମ ଆରମ୍ଭ କରାଯିବ ।" ତେବେ ଜିଲ୍ଲା ଶିକ୍ଷାଧିକାରୀ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details