ମାଲକାନଗିରି: ସରକାରୀ ସହାୟତାରେ ପାଠ ପଢ଼ିବା ପାଇଁ ଅଭିଭାବକ ପିଲାଙ୍କୁ ହଷ୍ଟେଲ ଛାଡ଼ିଥାନ୍ତି। ହେଲେ ହଷ୍ଟେଲରେ ପିଲାଙ୍କୁ ପାଠ ପଢ଼ା ବଦଳରେ କାମ କରିବାକୁ ପଡୁଛି। ସ୍କୁଲର ପ୍ରଧାନଶିକ୍ଷକ ଛାତ୍ରମାନଙ୍କୁ ରୋଷେଇ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ସେରପାଲି ସହିଦ ଲକ୍ଷ୍ମଣ ନାୟକ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ।
କୋଭିଡ କଟକଣା ହ୍ରାସପରେ ଏପ୍ରିଲ ୮ରୁ ମାଲକାନଗିରି ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଖୋଲିଛି । ଏଥିସହ ସ୍କୁଲର ସମସ୍ତ ଛାତ୍ରାବାସ ମଧ୍ୟ ଖୋଲାଯାଇଛି। ସ୍କୁଲରେ ବାର୍ଷିକ ପରୀକ୍ଷା ଚାଲୁଥିବାବେଳେ ଛାତ୍ରମାନେ ପାଠ ପଢ଼ିବା ପରିବର୍ତ୍ତେ ହଷ୍ଟେଲରେ ଦୁଇ ବେଳା ରୋଷେଇ କରୁଛନ୍ତି। ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ସେରପାଲି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ଏହି ଦୃଶ୍ୟ ତାଙ୍କ ନଜରକୁ ଆସିଥିଲା। ଏହାପରେ ସେ ସ୍କୁଲ ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।