ମାଲକାନଗିରି: ଶିକ୍ଷାର ପ୍ରଚାର ପ୍ରସାର ପାଇଁ ସରକାରୀ ସ୍ତରରେ କରାଯାଉଛି ଅନେକ ଯୋଜନା । ଆଉ ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି ବେଶ ମୋଟା ଅଙ୍କର ଟଙ୍କା । ସମସ୍ତଙ୍କ ନିକଟରେ ଶିକ୍ଷାକୁ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ କରାଯାଉଛି ଅନେକ ପ୍ରକାରର ବ୍ୟବସ୍ଥା । ମାତ୍ର ଏହାର ସୁଫଳ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଉପଲବ୍ଧ ହେଉନଥିବା ଜଣାପଡିଛି । ଏଠାକାର ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବାଧକ ସାଜିଛି ଜାତିଗତ ପ୍ରମାଣପତ୍ର ।
ଏଭଳି ସମସ୍ୟା ଦେଖିବାକୁ ମିଳିଛି ମାଲକାନଗିରିର ଦୋରାଗୁଡ଼ା ଗ୍ରାମରେ । ଏହି ଗାଁରେ ପ୍ରାୟ 40ରୁ ଅଧିକ ଆଦିବାସୀ ପରିବାର ବସବାସ କରିଥାନ୍ତି । ସ୍ଥାନୀୟ ଗ୍ରାମବାସୀ ଆଦିବାସୀ ହୋଇଥିବାରୁ ସେମାନଙ୍କୁ ସରକାରୀ ସ୍ତରରେ ଅନେକ ସୁବିଧା ସୁଯୋଗ ମିଳିଥାଏ। ମାତ୍ର ବ୍ୟତିକ୍ରମ ଏହା ଯେ ଶିକ୍ଷାରୁ ବଞ୍ଚିତ ହେବାକୁ ପଡୁଛି ସେମାନଙ୍କୁ। ଜାତିଗତ ପ୍ରମାଣପତ୍ର ନ ମିଳିବାରୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡୁଛି। ଯାହା ଫଳରେ ଗାଁର ପିଲାଏ ପାଠପଢାରୁ ବଞ୍ଚିତ ହେଉଛନ୍ତି।