ଓଡିଶା

odisha

By

Published : Jul 11, 2023, 7:03 AM IST

ETV Bharat / state

ଘୂର୍ଣ୍ଣିଝଡ଼ରେ ଉଡିଗଲା ସରକାରୀ ହଷ୍ଟେଲର ଛାତ, ସନ୍ତସନ୍ତିଆ ହଷ୍ଟେଲ୍‌ରେ ରୁମ୍‌ରେ ଏମିତି ପାଠ ପଢ଼ୁଛନ୍ତି ପିଲାଏ

ମାଲକାନଗିରିର ବୁଟିଗୁଡା ସ୍କୁଲ ଛାତ୍ରୀବାସରେ ନିମ୍ନମାନର ହଷ୍ଟେଲ କାମ ଯୋଗୁଁ ଦଶା ଭୋଗୁଛନ୍ତି ଛାତ୍ରୀ । ଜିଲ୍ଲା ମୁଖ୍ୟାଳୟରେ ଏଭଳି ଘଟଣା ଘଟିଥିଲେ ବି ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ତତ୍ପରତା ନଥିବାରୁ ପ୍ରକାଶ ପାଇଛି ଅସନ୍ତୋଷ । ଅଧିକ ପଢନ୍ତୁ

ସମସ୍ୟା ଘେରରେ ପାଠ ପଢୁଛନ୍ତି ଛାତ୍ରୀ
ସମସ୍ୟା ଘେରରେ ପାଠ ପଢୁଛନ୍ତି ଛାତ୍ରୀ

ସମସ୍ୟା ଘେରରେ ପାଠ ପଢୁଛନ୍ତି ଛାତ୍ରୀ

ମାଲକାନଗିରି: ମାସେରୁ ଉର୍ଦ୍ଧ୍ବ ସମୟ ହେବ ଘୁର୍ଣ୍ଣିଝଡ଼ରେ ହଷ୍ଟେଲର ଉପର ଟିଣ ଉଡିଯାଇଥିବାରୁ ସମସ୍ୟା ଭୋଗୁଛନ୍ତି ଛାତ୍ରୀ । ବର୍ଷା ହେଲେ ଉପର ଘର ପାଣି ସିଡି ଦେଇ ତଳ ଘର ପଶୁଛି । ଯାହା ଫଳରେ ପିଲାଙ୍କ ବହି, ଖାତା ସବୁ ଓଦା ହୋଇଯାଉଥିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହଷ୍ଟେଲରେ ରହୁଥିବା ୧୬୦ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଟିଗୁଡା ସ୍କୁଲ ଛାତ୍ରୀବାସରେ ।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଛାତ୍ରଛାତ୍ରୀ କିଭଳି ସ୍କୁଲ ଆସିବେ ଏବଂ ସେଠାରେ ରହି ପାଠପଢିବେ ସେଥିପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଭିନ୍ନ ସ୍ଥାନରେ ଛାତ୍ର ଆବାସ ଓ ଛାତ୍ରୀ ଆବାସ କରାଯାଇଥିବାବେଳେ ମାଲକାନଗିରି ମୁଖ୍ୟାଳୟରେ ମଧ୍ଯ ରହିଛି ୬ଟି ହଷ୍ଟେଲ । ସେଥିରୁ ବୁଟିଗୁଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଟିଗୁଡା ସ୍କୁଲର ଛାତ୍ରୀ ଆବାସରେରେ ରହୁଥିବା ଛାତ୍ରୀମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଗତ ଖରା ଛୁଟି ପରେ ସେମାନେ ଘରୁ ହଷ୍ଟେଲକୁ ଫେରିବା ପରେ ସେମାନଙ୍କ ହଷ୍ଟେଲର ଛାତ ଉପର ଟିଣ ଘୁର୍ଣ୍ଣିଝଡ ଉଡାଇ ଦେଇଛି । ଯାହା ଫଳରେ ବର୍ଷା ପାଣିରେ ହଷ୍ଟେଲରେ ଥିବା ସେମାନଙ୍କ ଆସବାବପତ୍ର ଓ ଖାତା ବହି ନଷ୍ଟ ହୋଇ ଯାଇଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ କି ୟୁନିଫର୍ମ; ଭୋକରେ ଛାତ୍ରଛାତ୍ରୀ

ଏହାକୁ ନେଇ ପ୍ରଧାନ ଶିକ୍ଷକ ଦେବରାଜ ସାହୁ କହିଛନ୍ତି, "ଗତ ଜୁଲାଇ 1 ତାରିଖ ଦିନ ବର୍ଷା ପବନ ଯୋଗୁଁ ହଷ୍ଟେଲ ଛାତ ଉଡ଼ି ଯାଇଛି। ଫଳରେ ଉପର ଘରେ ଯେଉଁ ପିଲା ଥିଲେ ସେମାନଙ୍କୁ ତଳ ଗୃହରେ ଆଣି ରଖା ଯାଇଛି। ବର୍ତ୍ତମାନ ହଷ୍ଟେଲ୍‌ରେ 110 ଜଣ ଛାତ୍ରୀ ରହିଛନ୍ତି । ଗୋଟିଏ ଗୋଟିଏ ଖଟରେ ଦୁଇଜଣ ଆଡଜଷ୍ଟ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ ମୁଁ ପିଆଇଟିଏ ମାଡାମଙ୍କୁ ଜଣାଇଥିଲି। ସେ କହିଥିଲି ମୁଁ କାମ କରାଇ ଦେବି ବୋଲି। କିନ୍ତୁ ଆଜି ଯାଏଁ କାମ ହୋଇ ପାରୁନି।"

ବିଭିନ୍ନ କାନ୍ଥରେ ଖୋଲା କରେଣ୍ଟ ତାର ଥିବାବେଳେ ବର୍ଷା ପାଣି ସିଡି ଦେଇ ତଳକୁ ଆସିବା ଯୋଗୁ ସର୍ଟସର୍କିଟର ବି ଆଶଙ୍କା ରହୁଛି । ଛାତ୍ରୀମାନେ ବିପଦଶଙ୍କୁଳ ଅବସ୍ଥାରେ ଥିବା ସ୍ବୀକାର କରିବା ସହିତ ଘଟଣା ସମ୍ପର୍କରେ ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ସ୍କୃଲ କର୍ତ୍ତୃପକ୍ଷ । ଜୁନ୍ ୧ ତାରିଖ ଦିନ ହୋଇଥିବା ଘୂର୍ଣ୍ଣିଝଡ଼ ଛାତ୍ରୀବାସର ଉପର ମହଲା ଟିଣ ଉଡାଇ ଦେଇଥିବାରୁ ପିଲାମାନେ ବହୁ ସମସ୍ୟାର ସମୁଖୀନ ହେଉଥିବା ସ୍ବୀକାର କରିବା ସହ ବାରମ୍ବାର BEO ଓ ପିଏ ITDAଙ୍କୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ଏହାପରେ ପିଏ ଆଇଟିଡିଏ ଷ୍ଟାଫଙ୍କୁ ପଠାଇ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଖୁବଶୀଘ୍ର ମରାମତି କରାଯିବ ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକାଶ କରିିଛନ୍ତି । ସେପଟେ ବୁଟିଗୁଡା ହଷ୍ଟେଲର କାମ ପାଇଁ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ମାଲକାନଗିରି ପିଏ ଆଇଟିଡିଏ କହିଛନ୍ତି ।


ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details