ମାଲକାନଗିରି: ସ୍ଵାଭିମାନ ଅଞ୍ଚଳର ହଳଦୀ ଚାଷ ଦେଶ ବିଦେଶରେ ଜିଲ୍ଲାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ନିକଟରେ ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇଥିବା G20 ସମ୍ମିଳନୀରେ ଆୟୋଜିତ କୃଷିମନ୍ତ୍ରୀ ମାନଙ୍କର ବୈଠକରେ ସ୍ଵାଭିମାନ ଅଞ୍ଚଳରେ ଉତ୍ପାଦନ ହେଉଥିବା ହଳଦୀ ଗୁଣ୍ଡକୁ ଆଦୃତି ମିଳିଛି । ଏହି ସମ୍ମିଳନୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ନରେନ୍ଦ୍ର ସିଂ ତୋମାର ସ୍ଵାଭିମାନ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଜୈବିକ ହଳଦୀକୁ ଖୁବ ପ୍ରଶଂସା କରିଛନ୍ତି । ଉତ୍ତମ ଗୁଣବତ୍ତା ସମ୍ପନ୍ନ ଜୈବିକ ହଳଦୀ ଚାଷକୁ ପ୍ରୋତ୍ସାହନ କରି ଉତ୍ପାଦକୁ ସୁନ୍ଦର ପାକେଜିଂ ସହ ଜାତୀୟ ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ କରୁଥିବାରୁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଦିଲ୍ଲୀରେ ମଧ୍ୟ ଏହି ସ୍ଵାଭିମାନ ହଳଦୀର ବିକ୍ରିବଟା ପାଇଁ ଏକ ଆଉଟଲେଟ ଖୋଲାଯିବ ବୋଲି ସୂଚନା ମିଳିଛି । ଏହା ଦ୍ବାରା ଆଦିବାସୀ ଅଧ୍ୟୁଷିତ ସ୍ଵାଭିମାନ ଅଞ୍ଚଳରେ ମହିଳା ମାନଙ୍କୁ ଜୀବନ ଜୀବିକା ଯୋଗାଇବାରେ ସହଯୋଗ ହୋଇ ପାରିଛି । ସେମାନଙ୍କୁ ସଶକ୍ତିକରଣ କରିବାରେ ସହାୟକ ହେବା ସହ ବିଶ୍ବ ଦରବାରରେ ଉତ୍ପାଦର ବିକ୍ରି ଜିଲ୍ଲା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ବୋଲି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସୂଚନା ଦେଇଛନ୍ତି । ସୂଚନା ଥାଉକି, ସ୍ଵାଭିମାନ ଅଞ୍ଚଳରେ ଚାଷ ହେଉଥିବା ହଳଦୀରେ ସାଧାରଣତଃ ୬ରୁ ୮ ପ୍ରତିଶତ କର୍କୁମିନ୍ ରହିଥାଏ । ଯାହା ଅନ୍ୟ ହଳଦୀରେ ୧ରୁ ୩ ପ୍ରତିଶତ କର୍କୁମିନ ଥାଏ । ସ୍ଵାଭିମାନ ଅଞ୍ଚଳର ଗଡପଦର, ବଡ଼ପଡ଼ା, ପାପରମେଟଲା, ଜଡ଼ାଆମ୍ୱ ଓ ରାଲେଗଡ଼ା ଅଞ୍ଚଳର ଜଙ୍ଗଲ ଜମିରେ ଏହି ଚାଷ କରାଯାଉଛି । ଉକ୍ତ ଅଞ୍ଚଳର ୫୦୦ରୁ ଅଧିକ ଆଦିବାସୀ ମହିଳା ୬ଟି ଉତ୍ପାଦକ ଗ୍ରୁପରେ ସାମିଲ ହୋଇ ଚାଷ କରୁଛନ୍ତି ।