ଓଡିଶା

odisha

ETV Bharat / state

ସ୍ବାଭିମାନ ଅଞ୍ଚଳରେ ଏମିତି ଶିକ୍ଷା ବ୍ୟବସ୍ଥା, ଉଦଘାଟନର ୬ ମାସ ପରେ ବି ଖୋଲିଲାନି ସ୍କୁଲ୍‌ - ମାଲକାନଗିରିରେ ସ୍କୁଲ ଅବ୍ୟବସ୍ଥା

ସ୍ବାଭିମାନ ଅଞ୍ଚଳକୁ ବିକାଶ ଟ୍ରାକରେ ଆଗକୁ ବଢାଇବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ଏଠି ସ୍ବପ୍ନ ପାଲଟିଛି ଶିକ୍ଷାର ବିକାଶ । ମାଲକାନଗିରି ଜିଲ୍ଲାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଦେଖନ୍ତୁ ଏହି ରିପୋର୍ଟ

ସ୍ବାଭିମାନ ଅଞ୍ଚଳରେ ମନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର
ସ୍ବାଭିମାନ ଅଞ୍ଚଳରେ ମନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର

By

Published : Apr 14, 2023, 4:23 PM IST

ସ୍ବାଭିମାନ ଅଞ୍ଚଳରେ ମନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ପାଇଁ ଶିକ୍ଷାରୁ ବଞ୍ଚିତ ହେଇଯାଉଛନ୍ତି ସ୍ୱାଭିମାନ ଅଞ୍ଚଳର ଅନେକ ଆଦିବାସୀ ଛାତ୍ରଛାତ୍ରୀ । ପାପରମେଟଲା ପଞ୍ଚାୟତର ଜନ୍ତାପାଇ ଗ୍ରାମରେ ରହିଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଗୁରୁପ୍ରିୟା ସେତୁ ନିର୍ମାଣ ପରେ ରାଜ୍ଯ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ଆଗ ମାଡିଚାଲିଛି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ଗମନାଗମନ ଭଳି ମୌଳିକ ସୁବିଧାରୁ କେହି ଯେମିତି ବଞ୍ଚିତ ନରହିବେ, ସେଥିପାଇଁ ରାଜ୍ଯ ସରକାରଙ୍କ ଫୋକସରେ ରହିଛି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ । କିନ୍ତୁ ଏଠି ସ୍ବପ୍ନ ପାଲଟିଛି ଶିକ୍ଷାର ବିକାଶ । ଗତ ଅକ୍ଟୋବର ମାସରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ଜନ୍ତାପାଇରେ ଛାତ୍ରାବାସ ସହ ବିଦ୍ୟାଳୟ ଗୃହ ଓ ଟିଚର୍ସ କମ୍ପ୍ଲେକ୍ସର ଉଦଘାଟନ କରାଯାଇଥିଲା । ଯଥାଶୀଘ୍ର ଏହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସହ ପାଠପଢା ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ । କିନ୍ତୁ ଆଜକୁ ୬ ମାସ ହୋଇଯାଇଥିଲେ ସୁଦ୍ଧା ସ୍କୁଲ ମୁହଁ ମାଡି ପାରିନାହାନ୍ତି ଛାତ୍ରଛାତ୍ରୀ ।

ବିଦ୍ୟାଳୟ ନିର୍ମାଣ ହେବା ଦ୍ଵାରା ସ୍ଥାନୀୟ ଲୋକେ ବେଶ୍ ଉତ୍ସାହିତ ହୋଇଥିଲେ । ମନରେ ଅନେକ୍ ଆଶା ବାନ୍ଧିଥିଲେ ଜନ୍ତାପାଇ ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ । କିନ୍ତୁ ସମସ୍ତଙ୍କ ଆଶା ଆଶାରେ ହିଁ ରହିଯାଇଛି । ନିଜ ପଞ୍ଚାୟତ ଛାଡି ଅନ୍ୟ ପଞ୍ଚାୟତରେ ପିଲାଙ୍କୁ ପାଠ ପଢାଇବାକୁ ବାଧ୍ୟ ହେଉଥିବା କହିଛନ୍ତି ଅଭିଭାବକ ।

ଏଥିନେଇ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ମନା କରିଦେଇଥିଲେ ହେଁ ପରୋକ୍ଷ ଭାବେ କହିଛନ୍ତି । ତାଙ୍କ କହିବା ଅନୁସାରେ, "ସ୍ବାଭିମାନ ଅଞ୍ଚଳ ଦାଇତ୍ବରେ ଥିବା ବ୍ଲକ ଶିକ୍ଷାଧିକାରୀଙ୍କୁ ଏଥିନେଇ କାରଣ ଦର୍ଶାଅ ନୋଟିସ୍ କରିବା ସହ ଜନ୍ତାପାଇ ସ୍କୁଲ ଓ ଟିଚର୍ସ କମ୍ପେକ୍ସ ଦାଇତ୍ବରେ ଥିବା ଶିକ୍ଷକମାନଙ୍କର ବନ୍ଦ କରିଦିଆଯାଇଛି । ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ନିଲମ୍ବନ କରାଯିବ ।" ଖାଲି ଜନ୍ତାପାଇ ନୁହେଁ ଏହିଭଳି ସ୍ବାଭିମାନ ଅଞ୍ଚଳରେ ଥିବା ସମସ୍ତ ବିଦ୍ୟାଳୟଗୁଡିକର ଅବସ୍ଥା ସମାନ । କେଉଁଠି ସ୍କୁଲ୍ ଘର ଥିଲେ ଶିକ୍ଷକ ନାହାନ୍ତି, ତ କେଉଁଠି ଶିକ୍ଷକ ଥିଲେ ସ୍କୁଲ ଘର ନାହିଁ । ଏହି ସବୁ ଘଟଣାକୁ ଆଖି ଆଗରେ ରଖି ଅନେକ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ ।

ତେବେ ଏଠାରେ ପ୍ରକାଶଥାଉକି, ପୂର୍ବରୁ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଗଣଶିକ୍ଷା ମନ୍ତ୍ରୀ କହିଥିଲେ, "ସ୍ବାଭିମାନ ଅଞ୍ଚଳରେ ଶିକ୍ଷାର ବିକାଶପାଇଁ ସେତୁ ଯୋଜନାରେ ଶିକ୍ଷକ ମାନେ ରହିବାପାଇଁ ଏଜୁକେସନ କମ୍ପ୍ଲେକ୍ସ କରାଯାଉଛି । ଏହା ସମ୍ପୂର୍ଣ୍ଣ ହବାପରେ ଏହି ଅଞ୍ଚଳ ଶିକ୍ଷାର ବିକାଶ ହୋଇପାରିବ । ତାସହ ଏଜୁକେସନ କମ୍ପ୍ଲେକ୍ସ ନିକଟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲୁଙ୍କ ଘର ତେଣୁ ଏହି କମ୍ପ୍ଲେକ୍ସ କାମ ଶେଷ ହେବାପରେ ଶିକ୍ଷକମାନେ ସେଇଠି ରହି ଶିକ୍ଷାର ବିକାଶ କରିବେ ।" କିନ୍ତୁ ଏହି ଏଜୁକେସନ୍ କମ୍ପ୍ଲେକ୍ସ କାମ କେବେ ପୂରଣ ହବ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଶିକ୍ଷାରୁ ଦୂରେଇ ଯାଉଛନ୍ତି ଆଦିବାସୀ ଛାତ୍ରଛାତ୍ରୀ । ତେବେ ମନ୍ତ୍ରୀଙ୍କ ପ୍ରତିଶୃତି କେବେ ପୂରଣ ହେବ ତାହା ଦେଖିବାକୁ ବାକି ରହିଲା ।


ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details