ଓଡିଶା

odisha

By

Published : Apr 20, 2023, 3:08 PM IST

ETV Bharat / state

ଅପହଞ୍ଚ ଇଣ୍ଟରନେଟ ସେବା, ଲୋକଙ୍କ କାମରେ ଆସୁନି କେସିସି ବ୍ୟାଙ୍କର ଭ୍ରାମ୍ୟମାଣ ATM ଭ୍ୟାନ

ଖତ ଖାଉଛି କେସିସି ବ୍ୟାଙ୍କର ଭ୍ରାମ୍ୟମାଣ ଶାଖା ଗାଡି । ଇଣ୍ଟରନେଟ ନଥିବାରୁ ଲୋକଙ୍କ କାମରେ ଆସୁନି କେସିସି ବ୍ୟାଙ୍କର ଭ୍ରାମ୍ୟମାଣ ଶାଖା ଗାଡି । ଅଧିକ ପଢନ୍ତୁ

Kcc bank Mobile atm van
Kcc bank Mobile atm van

କାମରେ ଆସୁନି କେସିସି ବ୍ୟାଙ୍କର ଭ୍ରାମ୍ୟମାଣ ATM ଭ୍ୟାନ

ମାଲକାନଗିରି: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ଇଣ୍ଟରନେଟ ସେବା । ଫଳରେ ଲୋକଙ୍କ କାମରେ ଆସିନପାରିବାରୁ ବର୍ଷବର୍ଷ ହେଲା ଖତ ଖାଉଛି କେସିସି ବ୍ୟାଙ୍କର ଭ୍ରାମ୍ୟମାଣ ଶାଖା ଗାଡି । ଲୋକଙ୍କ ସୁବିଧା ପାଇଁ 2016ରେ ଜିଲ୍ଲାକୁ ଆସିଥିବା ଏହି ଗାଡି ଏବେ ଅଚଳ ହୋଇ ବ୍ୟାଙ୍କ ସମ୍ମୁଖରେ ପଡ଼ି ରହିଛି । କେବେ ଏହି ଗାଡି ଲୋକଙ୍କ କାମରେ ଆସିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗ୍ରାମାଞ୍ଚଳରେ ସାଧାରଣ ଲୋକ ଏବଂ ଚାଷୀ ମାନଙ୍କ ସୁବିଧା ସୁଯୋଗ ପାଇଁ କେସିସି ବ୍ୟାଙ୍କ ଅଧିନରେ ଛୋଟ ଛୋଟ ମିନି ବ୍ୟାଙ୍କ ଓ ଲ୍ୟାମ୍ପଗୁଡିକ ରହିଥାଏ । ଯାହାଦ୍ବାରା ଚାଷୀମାନେ ଲ୍ୟାମ୍ପରୁ ଋଣ ନେଇ ଚାଷ କରିବା ସହ ମିନି ବ୍ୟାଙ୍କରେ ଋଣ ଟଙ୍କା ସୁଝିଥାଆନ୍ତି । ପରେ ବଳକା ଟଙ୍କା ଜମାରଖି ଦରକାର ହେଲେ ଉଠାଇଥାନ୍ତି । କିନ୍ତୁ ଏହି ସବୁ ସୁବିଧା ବ୍ୟାଙ୍କ କିମ୍ବା ଲ୍ୟାମ୍ପକୁ ଆସିଲେ ହିଁ ପାଇଥାଆନ୍ତି ଉପଭୋକ୍ତା । କନ୍ତୁ ଗାଁଗାଁରେ ଲୋକମାନେ କେମିତି ନିଜ ଜମାରାଶି ସହଜରେ ଉଠାଇ ପାରିବେ ସେନେଇ ମୋବାଇଲ ATM ବ୍ୟବସ୍ଥା କରାଗଲା । ଏହି ବ୍ୟବସ୍ଥାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡା ଜିଲ୍ଲାପାଇଁ ନାବାର୍ଡ ପକ୍ଷରୁ ଚାରୋଟି ମୋବାଇଲ୍ ATM କେସିସି ବ୍ରାଞ୍ଚ ଭ୍ୟାନ୍ ବା ଭ୍ରାମ୍ୟମାଣ ଶାଖା ବସ୍‌ ଦିଆଯାଇଥିଲା ।

ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ର ସ୍ବାଭିମାନ ଅଞ୍ଚଳ, ପାପଲୁର୍, କୁର୍ମାନୁର୍ ପଞ୍ଚାୟତ, ମାଥିଲି ବ୍ଲକର ମହୁପଦର, ଟେମୁରୁପାଲ୍ଲି ପଞ୍ଚାୟତ, କୋରକୁଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତ ଓ ଖଇରପୁଟ ବ୍ଲକର ବଣ୍ଡାଘାଟି ଅଞ୍ଚଳରେ ଥିବା ଗାଁ ଗୁଡିକରେ ଏହି ସୁବିଧା ଦେବାପାଇଁ 2016 ମସିହାରେ ଏହି ବସ ମାଲକାଗିରି ଜିଲ୍ଲାରେ ପହଞ୍ଚିଥିଲା । ଏହି ବସ୍‌ ପହଞ୍ଚିବା ପରେ ଭ୍ରାମ୍ୟମାଣ କେସିସି ATM ଶାଖାର କିଛି ଷ୍ଟାଫ୍‌ ଚିତ୍ରକୋଣ୍ଡା ବ୍ଲକକୁ ଯାଇ ସେବା ଯୋଗାଇ ଦେବା ପାଇଁ ପହଞ୍ଚିଥିଲେ । କିନ୍ତୁ ଇଣ୍ଟରନେଟର ବ୍ୟବସ୍ଥା ନଥିବାରୁ ସେବା ଯୋଗାଇବାରେ ଅସମର୍ଥ ଥିଲା ଏହି ମୋବାଇଲ ATM ଭ୍ୟାନ । ଫଳରେ ସେହିଦିନଠାରୁ ଏହି ବସ୍‌ ମାଲକାନଗିରି ଜିଲ୍ଲାର କେସିସି ବ୍ୟାଙ୍କ ମୁଖ୍ଯ କାର୍ଯ୍ଯାଳୟ ଆଗରେ ପଡି ରହି ଖତ ଖାଉଛି ।

କେସିସି ବ୍ୟାଙ୍କ ପକ୍ଷରୁ ଉପଭୋକ୍ତାଙ୍କ ସୁବିଧା ପାଇଁ କରାଯାଇଥିବା ମୋବାଇଲ୍ ATM ଗାଡିରେ ଇଣ୍ଟରନେଟ ବ୍ୟବସ୍ଥା ହୋଇ ପାରିନଥିବାରୁ ଗାଡ଼ିଟି ଜିଲ୍ଲା ମୁଖ୍ୟାଳୟରେ ପଡି ଖତ ଖାଉଛି । ତେବେ ଜିଲ୍ଲାର ସମସ୍ତ ଅଞ୍ଚଳରେ କେବେ ମୋବାଇଲ ଟାୱାର ପହଞ୍ଚିବ ଓ 4ଜି 5ଜି ସେବା କେବେ ମିଳିବ ତାହାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଗ୍ରାମାଞ୍ଚଳର ଜନସାଧାରଣ । ଏନେଇ କେସିସି ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, "ଶାଖାର ଦାୟିତ୍ବ ନେବା ବହୁ ପୂର୍ବରୁ ଏହି ଗାଡିଟି ପଡି ରହିଛି । ଗ୍ରାମାଞ୍ଚଳରେ ଇଣ୍ଟରନେଟର ବ୍ୟବସ୍ଥା ନଥିବାରୁ ଏହାର ଉପଯୋଗ ହୋଇପାରୁନାହିଁ । ଆଜିକା ସମୟରେ ହାଇସ୍ପିଡ୍‌ ଇଣ୍ଟରନେଟ୍ ଆବଶ୍ୟକ । ତେଣୁ ସରକାରଙ୍କୁ ଅନୁରୋଧ କରୁଛି ଗ୍ରାମାଞ୍ଚଳରେ ହାଇସ୍ପିଡ୍‌ ଇଣ୍ଟରନେଟ୍ ବ୍ୟବସ୍ଥା କଲେ ଏହି ଗାଡିର ଉପଯୋଗ ହୋଇପାରିବ ।"

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details