ମାଲକାନଗିରି: ସରକାରୀ ଡାକ୍ତରଖାନାରେ ବେସରକାରୀ ଭଳି ସୁବିଧା ସୁଯୋଗ । ତାହାବି ପୁଣି ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେ । କଥାଟି ଶୁଣିଲେ ଆପଣଙ୍କୁ ଆଶ୍ଟର୍ଯ୍ୟ ଲାଗୁଥିବ ନିଶ୍ଚିନ୍ତ । ହେଲେ ବାସ୍ତବରେ ଏହା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ।
ଡାକ୍ତରଖାନା ଚାରିପଟେ ଔଷଧୀୟ ବୃକ୍ଷ ସାଙ୍ଗକୁ ପରିଷ୍କାର ପରିଚ୍ଛନ୍ନ ପରିବେଶ । ସଫାସୁତୁରା ରୁମ୍ ସହିତ ଚକାଚକ ବେଡ । ବିଭିନ୍ନ ସ୍ଥାନରେ ସିସିଟିଭି । ଏହା ସହିତ ଆଦିବାସୀ ଲୋକଙ୍କୁ ସଚେତନ କରିବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଥିବା ଟିଭିରେ ସଚେତନତାର ବାର୍ତ୍ତା ।
ଖାଲି ସେତିକି ନୁହେଁ, ରୋଗୀଙ୍କ ସମ୍ପର୍କୀୟଙ୍କ ସମେତ ଡାକ୍ତରଖାନାରେ କାର୍ଯ୍ୟରତ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିବା ପାଇଁ ପ୍ରତିଦିନ ସକାଳେ ଏଠାରେ ଯୋଗାସନ ମଧ୍ୟ କରାଯାଉଛି । ପୁର୍ବରୁ କୋରୁକୋଣ୍ଡା ଅଞ୍ଚଳର ଗରିବ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଲାଗି ଜିଲ୍ଲା ସଦର ଚିକିତ୍ସାଳୟ କିମ୍ବା ବାହାର ରାଜ୍ୟକୁ ଯିବାକୁ ପଡୁଥିଲା ହେଲେ ବର୍ତ୍ତମାନ କିନ୍ତୁ ରୋଗୀଙ୍କ ପ୍ରଥମ ପ୍ରସନ୍ଦ ନିଜ ଗାଁ ପାଖରେ ଥିବା ଏହି କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ।