ଓଡିଶା

odisha

ETV Bharat / state

ଧାନ କେଣ୍ଡାରୁ ବାହାରୁଛି ଅଗାଡି, ଚକଡା ସାଙ୍ଗକୁ ମରୁଡି ସମସ୍ୟା ନେଇ ଚିନ୍ତାରେ ଚାଷୀ - ଚକଡ଼ା ପୋକ ସମସ୍ୟା

ଚାଷ ପାଇଁ ଜଳସେଚନର ଅଭାବ । ଅଗାଡି ହେବାକୁ ବସିଲାଣି ଧାନ । ସେପଟେ ଦାଉ ସାଜିଛି ଚକଡା ପୋକ । ଧାର ଉଧାର କରି ଚାଷ କରିଥିଲା ଚାଷୀ । ଋଣ ସୁଝିବାକୁ ନେଇ ଚିନ୍ତାରେ ଚାଷୀ । ଅଧିକ ପଢ଼ନ୍ତୁ

Farmer Problems
Farmer Problems

By ETV Bharat Odisha Team

Published : Nov 7, 2023, 10:06 PM IST

Farmer Problems

ମାଲକାନଗିରି: ପୁଣି ଚିନ୍ତାରେ ଚାଷୀ । ରକ୍ତକୁ ପାଣି କରି ଧାର ଉଧାର କରି ଚାଷ କରିଥିଲା ଚାଷୀ । ହେଲେ ଚାଷ ପାଇଁ ଦାଉ ସାଜିଲା ଜଳସେଚନ । ଜମିରେ ପାଣି ଅଭାବରୁ ମାଟି ଫାଟି ଆଁ କରିଥିବା ବେଳେ ଅଗାଡି ହେବାକୁ ବସିଲାଣି ଧାନ । ଫସଲ ଅମଳ ସମୟରେ କ୍ଷେତ ଗୁଡିକରେ ଚକଡ଼ା ପୋକ ମାଡ଼ିଯିବା ଯୋଗୁଁ ଫସଲ ନଷ୍ଟ ହେଉଥିବା ବେଳେ ଚାଷୀ ପାଇଁ ବୋଝ ଉପରେ ଲଳିତା ବିଡା ଲଦି ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ଉପଯୁକ୍ତ ପରିମାଣର ବର୍ଷା ନହବା ଓ ଜଳସେଚନ ବିଭାଗର କେନାଲ ଗୁଡିକରେ ଠିକ୍ ସମୟରେ ପାଣି ନଛାଡିବା କାରଣରୁ ମାଲକାନଗିରି ଜିଲ୍ଲାରେ ଦେଖା ଯାଇଛି ମରୁଡି ପରିସ୍ଥିତି ।

ଜମିରେ ପାଣି ନାହିଁ । ଧାନ ଗଛ ସବୁ ଶୁଖି ମରିଯାଉଛି। କେନାଲରେ ପାଣି ଛଡ଼ାଯାଉନଥିବାରୁ ଧାନ କିଭଳି ଅମଳ କରିବେ ତାକୁ ନେଇ ଚିନ୍ତାରେ ଚାଷୀ । ମାଲକାନଗିରି ଜିଲ୍ଲା ଗୋରଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୨୧, ଏମ୍‌-୨୨ ଓ କୃଷବେଡା ଗ୍ରାମର ଚାଷୀମାନେ କେନାଲ ପାଣି ପାଇ ପାରୁନଥିବା ନେଇ ଅଭିଯୋଗ କରିଛନ୍ତି । ଧାନ କେଣ୍ଡାରେ ଧାନ ହେବା ସମୟରେ ମାଇନର କେନାଲ ଗୁଡ଼ିକରେ ପାଣି ଛାଡ଼ିବା ପାଇଁ ଜଳସେଚନ ବିଭାଗର ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । ଚାଷର ଉପଯୁକ୍ତ ସମୟରେ କେନାଲରେ ପାଣି ନଛାଡି ମନଇଛା ପାଣି ଛାଡିଛନ୍ତି ଜଳସେଚନ ବିଭାଗ ଅଧିକାରୀ । ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମରୁଡି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଗୋରଖୁଣ୍ଟା ପଞ୍ଚାୟତର କିଛି ଚାଷୀଙ୍କ କହିବା ଅନୁଯାୟୀ, ପଞ୍ଚାୟତରେ ଜଳସେଚନ ପାଇଁ ତମସା ମୁଖ୍ୟ କେନାଲ ରହିଛି । କିନ୍ତୁ ଚାଷୀର କାମ ବେଳେ ଏଥିରେ ପାଣି ଆସେନି । ବିଳମ୍ବରେ ପାଣି ଛଡ଼ାଯାଉଥିବା ବେଳେ ଚାଷୀମାନେ ଠିକରେ ଚାଷ କରି ପାରୁନାହାନ୍ତି । ଏହାସହ ତମସା ମୁଖ୍ୟ କେନାଲରେ ପାଣି ରହୁଥିବା ବେଳେ ମାଇନର କେନାଲ ପୋତି ହୋଇଯିବାରୁ ପାଣି ଆସି ପାରୁନି ଯାହାକୁ ନେଇ ଚାଷୀମାନେ ବହୁ ହଇରାଣ ହେଉଛନ୍ତି । ତେଣୁ ହେକ୍ଟର ହେକ୍ଟର ଧାନ ଚାଷ ନଷ୍ଟ ହୋଇଯାଇଛି । ସେପଟେ କିଛି ଚାଷୀ ଋଣ କରି ଧାନ ଚାଷ କରିଥିବା ବେଳେ ଏଭଳି ସ୍ଥିତିରେ ଋଣ କିଭଳି ସୁଝିବେ ବୋଲି କହିଛନ୍ତି ।

ଅନ୍ୟପଟେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ଷେତରେ ଧାନ ଫସଲ ଅମଳ ଅବସ୍ଥାକୁ ଚାଲିଆସିଥିଲା ବେଳେ ହଠାତ୍ ଚକଡ଼ା ପୋକ ମାଡ଼ିଯିବା ଯୋଗୁଁ ଧାନ ଗଛଗୁଡ଼ିକ ନାଲି ପଡ଼ିଯାଉଛି । ଅମଳ ହେବା ପାଇଁ ରହିଥିବା ଧାନ ସବୁ ଅଗାଡ଼ି ହୋଇଯାଇଥିବା ଚାଷୀ କହିଛନ୍ତି । ଏନେଇ ଚାଷୀମାନେ ପଞ୍ଚାୟତ କୃଷି ଅଧିକାରୀଙ୍କୁ ଜଣାଇଥିଲେ । ଏହାସହ ଔଷଧ କିଣି ଧାନ ବିଲରେ ମଧ୍ୟ ପକାଇଥିଲେ । ହେଲେ ଚକଡ଼ା ପୋକ ଗୋଟିଏ ପରେ ଗୋଟିଏ ଜମିକୁ ବ୍ୟାପିବାରେ ଲାଗିଥିଲା । ଏକର ଏକର ଜମିରେ ଚକଡ଼ା ପୋକ ମାଡ଼ିଯାଉଥିବା ଯୋଗୁଁ ଧାନ ଅମଳ କରିବା ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଧାନ ଅମଳ ହୋଇନପାରିଲେ ଋଣ କିଭଳି ସୁଝିବେ ଏବଂ ପରିବାର ଚଳାଇବା କଷ୍ଟକର ହୋଇଯିବ । ଯଦି ସରକାର ଚାଷୀଙ୍କୁ ସହାୟତା ନକରନ୍ତି ତାହେଲେ ଧାର କରଜ କରି ସାହୁକାର୍, ଲ୍ୟାମ୍ପ ଓ ବ୍ୟାଙ୍କ ଠାରୁ ଚାଷ ଋଣ ଆଣିଥିବା ଚାଷୀ ଋଣ ସୁଝି ନପାରି ବାଧ୍ଯହୋଇ ଆତ୍ମହତ୍ୟା କରିବେ କହିଛନ୍ତି ଚାଷୀ ।

ଏହା ମଧ୍ୟ ପଢ଼ନ୍ତୁ.....ଅଦିନିଆ ବର୍ଷା ଉଜାଡିଲା ତରଭୂଜ ଚାଷ, କେମିତି ସୁଝିବେ ଋଣ ଚିନ୍ତାରେ ମହିଳା

ଏନେଇ ପଟେରୁ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇପାରିନଥିବା ବେଳେ ଯେଉଁ ଚାଷୀଙ୍କର କ୍ଷତି ହୋଇଛି ସେହି ଅଞ୍ଚଳର ରାଜସ୍ବ ଅଧିକାରୀ ଓ କୃଷି ବିଭାଗ ଅଧିକାରୀଙ୍କ ତଦନ୍ତ ରିପୋଟ୍ ଆସିବା ପରେ ସରକାରଙ୍କ ନିୟମ ମୁତାବକ ଚାଷୀଙ୍କୁ କ୍ଷତିପୂରଣ ସାହାଯ୍ୟ କରାଯିବ । ଏହାସହ ଯେଉଁ ଚାଷୀମାନେ ଫସଲ ବୀମା କରିଥିବେ ସେମାନେ ବୀମାରାଶି ପାଇପାରିବେ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧକାରୀ । ଅନ୍ୟ ପଟେ ନବନିର୍ମାଣ କୃଷକ ସଂଗଠନ, ମାଲକାନଗିରି ଜିଲ୍ଲା ଆଦିବାସୀ ସଙ୍ଘ ଭଳି ବିଭିନ୍ନ ସଂଗଠନ ମାଲକାନଗିରି ଜିଲ୍ଲାକୁ ମରୁଡି ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିବା ସହ ଚାଷୀଙ୍କ ସମସ୍ୟା ନେଇ ଯଦି ସରକାର ବିଚାର ନକରନ୍ତି ତେବେ ରାଜରାସ୍ତାକୁ ଓହ୍ଲାଇବେ କହି ସରକାରଙ୍କୁ ଚେତାବନୀ ଦେଇଛନ୍ତି ଚାଷୀ ନେତା ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details