ମାଲକାନଗିରି: ହଇଚଇ ସୃଷ୍ଟି କରିଛି ନୂଆ ଟ୍ରାଫିକ ନିୟମ । ନିୟମ ଖିଲାପକାରୀଙ୍କ ଉପରେ କଡାକଡି ହେଉଛି କାରବାଇ । ହଜାର ହଜାର ଟଙ୍କାର ତଣ୍ଡ ଗଣୁଛନ୍ତି ସାଧାରଣଲୋକେ । ତେବେ ନିୟମ ଲାଗୁ ହେବାର କିଛି ଦିନ ପରେ ଏବେ ଲୋକଙ୍କୁ କରାଯାଉଛି ସଚେତନ । ମାଓ ଇଲାକା ମାଲକାନଗିରିର ବିଭିନ୍ନ ସ୍ଥାନରେ ପୋଲିସ, ଟ୍ରାଫିକ ପୋଲିସ ସଚେତନାର ବାର୍ତ୍ତା ବାଣ୍ଟୁଛନ୍ତି ।
ମୋଟର ଚାଳକଙ୍କ ନିମନ୍ତେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ଓ କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ଭି 79 ଠାରେ ପୋଲିସ ତରଫରୁ ଏକ ରାଲି ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତା ଖାକି ପୋଷାକ ସହ ମୁଣ୍ଡରେ ହେଲମେଟ ପିନ୍ଧି ଟ୍ରାଫିକ ନିୟମ ପାଳନର ବାର୍ତ୍ତା ଦେଇଛନ୍ତି । ଏଥିସହ ରାସ୍ତାରେ ଯାଉଥିବା ସମସ୍ତ ମୋଟର ସାଇକେଲ ଚାଳକଙ୍କୁ ଅଟକାଇ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି । ଯଦି ଆଗାମୀ ଦିନରେ କେହି ଆଇନ ଅମାନ୍ୟ କରନ୍ତି ତାଙ୍କର ଚାଲାଣ କଟାଯିବ ବୋଲି କହିଛନ୍ତି ।