ଓଡିଶା

odisha

ETV Bharat / state

ତତଲା କଢେଇରେ ଫୁଟୁଛି ମାଲକାନଗିରି, ଲୋକେ ହନ୍ତସନ୍ତ - ମାଲକାନଗିରି ଗରମ

ମାଲକାନଗିରି ଜିଲ୍ଲା ଏବେ ତତଲା କଡ଼େଇରେ ପରିଣତ ହୋଇଛି । ସପ୍ତାହେ ହେଲା ୪୦ ଡିଗ୍ରି ଉପରେ ହିଁ ରହୁଛି ପାରଦ । ଅଧିକ ପଢନ୍ତୁ...

ତତଲା କଢେଇରେ ଫୁଟୁଛି ମାଲକାନଗିରି, ଲୋକେ ହନ୍ତ ସନ୍ତ
ତତଲା କଢେଇରେ ଫୁଟୁଛି ମାଲକାନଗିରି, ଲୋକେ ହନ୍ତ ସନ୍ତ

By

Published : May 1, 2021, 8:52 PM IST

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏବେ ତତଲା କଡ଼େଇରେ ପରିଣତ ହୋଇଛି । ସପ୍ତାହେ ହେଲା ୪୦ ଡିଗ୍ରି ଉପରେ ହିଁ ରହୁଛି ପାରଦ । ବର୍ଷା ନଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଜିଲ୍ଲାର ସମସ୍ତ ନଦୀ ନାଳ ଶୁଖି ଯାଇଥିବା ବେଳେ ଗାଁ ପାହାଡ଼ିଆ ନଦୀରେ ପାଣି ରହିଥିବା ଦେଖିବାକୁ ମିଳିଛି । କିଛି ଦିନ ହେଲା ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ସକାଳ ୯ଟା ବାଜିଲେ ଲୋକେ ଘରୁ ବାହାରିବାକୁ ସାହସ କରିପାରୁ ନାହାନ୍ତି । କରୋନା ଯୋଗୁଁ ସଡାଉନ୍ କଟକଣା ଏବଂ ମାଲକାନଗିରି ସହରରୁ କରୋନା ସଂକ୍ରମିତ ଚିହ୍ନଟ ପରେ ଦୋକାନ ବଜାରରେ ବି ଭିଡ଼ କମି ଯାଇଛି ।

ତତଲା କଢେଇରେ ଫୁଟୁଛି ମାଲକାନଗିରି, ଲୋକେ ହନ୍ତ ସନ୍ତ

ଅତି ଦରକାର ହେଲେ ଲୋକେ ମୁଣ୍ଡରେ ଓଦା କପଡ଼ା ପକାଇ ଛତା ଧରି ବାହାରୁଛନ୍ତି । ସକାଳ ୧୦ଟା ବାଜିଲେ ଦୋକାନ ବଜାର ଏକ ପ୍ରକାର ବନ୍ଦ ହୋଇଯାଉଛି । ସଂଧ୍ୟା ୬ଟା ପର୍ଯ୍ୟନ୍ତ ଗରମ ରହୁଥିବାରୁ ବାଜାର ଶୂନଶାନ ରହୁଛି । ଏମିତି ସ୍ଥିତିରେ ବାରମ୍ବାର ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଇଛି । ପଥଚାରୀ ଗରମରୁ ରକ୍ଷା ପାଇବା ପାଇଁ ଗଛମୂଳେ ଆଶ୍ରୟ ନେଉଛନ୍ତି । ଗାଁ ଗହଳିରେ ଲୋକେ ଆମ୍ବତୋଟା କିମ୍ବା ତେନ୍ତୁଳି ତୋଟାରେ ବସି ରହୁଥିବା ଦେଖିବାକୁ ମିଳିଛି । ଆଜି ସକାଳେ ତାପମାତ୍ରା ୪୩ ଡିଗ୍ରୀ ରହିଥିବା ବେଳେ ପରବର୍ତ୍ତୀ ସମୟରେ ବୃଦ୍ଧି ପାଇଁ ପ୍ରାୟ ୪୫ ଡିଗ୍ରି ପାଖାପାଖି ରହିଥିଲା । ଯାହାକୁ ସମ୍ଭାଳିବା କଷ୍ଟକର ହୋଇଥିଲା । ତେବେ କରୋନା କଟକଣା ଯୋଗୁଁ ଅଂଶୁଘାତ ଭଳି କୌଣସି ସୂଚନା ମିଳିନାହିଁ । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କିନ୍ତୁ ଜିଲ୍ଲା ହସ୍ପିଟାଲରେ ଏକ ଅଂଶୁଘାତ କକ୍ଷ ପ୍ରସ୍ତୁତ କରି ରଖାଯାଇଛି ।

ତେବେ ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଥଣ୍ଡା ପାନୀୟ ସାଙ୍ଗକୁ ପଇଡ ଏବଂ ମିଶ୍ରି ପାଣି ପିଉଥିବା ଦେଖିବାକୁ ମିଳିଛି । ଲୋକେ କାକୁଡି ସାଙ୍ଗକୁ ତରଭୁଜ ମଧ୍ୟ କିଣି ନେଉଛନ୍ତି । ଦିନ ବଢ଼ିଲେ ଗରମ ବଢୁଥିବାରୁ ଲୋକେ ସକାଳୁ ସକାଳୁ ପରିବା କିଣି ଘରକୁ ଫେରି ଯାଉଛନ୍ତି । ଦିନ ଏଗାରଟା ପରେ ବଜାର ଏକପ୍ରକାର ଜନଶୂନ୍ୟ ହୋଇଯାଉଛି । ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ ଖରା ପାଇଁ କୌଣସି ପ୍ରକାର ସଚେତନତା ବାର୍ତ୍ତା ଦିଆଯାଇ ନାହିଁ । ତେବେ ଆହୁରି କେତେ ଦିନ ଏମିତି ଗରମ ଲାଗି ରହିବ, ତାହାକୁ ନେଇ ଲୋକେ ଚିନ୍ତାରେ ରହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details