ମାଲକାନଗିରି:ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ବୁଧବାର ମାଲକାନଗିରି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଅନୁପସ୍ଥିତି, ଚିକିତ୍ସା ଅବହେଳା ଏବଂ ଜରୁରୀ ଚିକିତ୍ସା ଅଭାବରୁ ଜଣେ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ଚିତ୍ରକୋଣ୍ଡା ସାଇ ମନ୍ଦିର ପଛ ସାହିର 29 ବର୍ଷୀୟ ବିଜୁ ନାୟକ । ଏହାକୁ କେନ୍ଦ୍ରକରି ମୃତକଙ୍କ ପରିବାର ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦା ମେଡିକାଲ ଘେରାଉ କରିଛନ୍ତି । ବୁଧବାର ଠାରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ଲାଗି ରହିଛି ।
ଚିତ୍ରକୋଣ୍ଡା ଜନସାଧାରଣ ମୃତଦେହକୁ ମେଡିକାଲରୁ ନ ନେଇ ତାଙ୍କୁ ଉଚିତ୍ ନ୍ୟାୟ ଦେବା ପାଇଁ କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି । ଯାହାଫଳରେ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଜିଲ୍ଲା ପ୍ରଶାସନ ଘଟଣାସ୍ଥଳକୁ ନ ଆସିବା ଯାଏଁ ଏବଂ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ଫଳରେ ବହୁ ସମୟ ଧରି ମେଡିକାଲ ୱାର୍ଡରୁ ମୃତଦେହ ନ ଉଠିବା କାରଣରୁ ଅନ୍ୟ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।