ମାଲକାନଗିରି:ମାଲକାନଗିରି ଏକ ଆଦିବାସୀ ଆଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏଠିକାର ଭାଷା, ସଂସ୍କୃତି ଏବଂ ପରମ୍ପରା ସବୁଠାରୁ ନିଆରା । କିନ୍ତୁ ଦିନକୁ ଦିନ ଏହା ଲୋପ ପାଇବାରେ ଲାଗିଛି । ତେଣୁ ଶୁକ୍ରବାର ଜିଲ୍ଲାରପରଜା ସମାଜ ବିକାଶ ପରିଷଦ ପକ୍ଷରୁ ଭାଷା, ସଂସ୍କୃତି, ପରମ୍ପରାକୁ ସୁରକ୍ଷା ଏବଂ ସରକାରୀ ସ୍ୱୀକୃତି ପ୍ରଦାନ କରିବା ପାଇଁ ଏକ ବିରାଟ ଶୋଭାଯାତ୍ରାରେ ଆୟୋଜନ କରାଯାଇଥିଲା । ପରଜା ସମାଜର ପ୍ରାୟ ୨ ହଜାରୁ ଅଧିକ ପୁରୁଷ ଏବଂ ମହିଳା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ ।
ପରଜା ସମାଜ ସବୁବେଳେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇ ଆସୁଥିବାବେଳେ, ସେମାନଙ୍କ ସମସ୍ୟାକୁ ବାରମ୍ବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ତେଣୁ ଆଜି ଆଦିବାସୀ ନେତା ଘେନୁ ମୁଦୁଲି, ଶ୍ରୀନିବାସ ମୁଦୁଲି, ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ପରଜା ସମାଜ ଦାବିଗୁଡିକ ହେଲା
୧. ବହୁ ଭାଷା ଶିକ୍ଷକ ନିଯୁକ୍ତି ଭିତ୍ତିରେ ପାରେଙ୍ଗା ପରଜା ଭାଷାରେ ଶିକ୍ଷାଦାନ ଓ ଶିକ୍ଷକ ନିଯୁକ୍ତି କରାଯାଉ ।
୨. ଲୋପ ପାଇ ଯାଉଥିବା ପାରେଙ୍ଗା ପରଜା ଭାଷା ଓ ସଂସ୍କୃତିର ପୁନରୁଦ୍ଧାର କରାଯାଇ ସରକାରୀ ମାନ୍ୟତା ଓ ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ ।
୩. ପାରେଙ୍ଗା ପରଜା ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପାରେଙ୍ଗା ପରଜା ପ୍ରକଳ୍ପ ସ୍ଥାପନ କରାଯାଉ ।
୪. ପାରେଙ୍ଗା ପରଜା ଜନଜାତିଙ୍କୁ ଜନଗଣନା ତାଲିକାଭୁକ୍ତ କରାଯାଉ ସେମାନଙ୍କ ଜନସଂଖ୍ୟା ପ୍ରକାଶ କରାଯାଉ ।
ଏହା ମଧ୍ୟ ପଢନ୍ତୁ...ବଣ୍ଡାଘାଟିରେ ପିଭିଟିଜି ଭୋଟରଙ୍କ ପାଇଁ ସଚେତନ କାର୍ଯ୍ୟକ୍ରମ