ମାଲକାନଗିରି: OTET ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ ମୋବାଇଲରୁ ମୋବାଇଲକୁ ଘୁରିବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଉଚ୍ଚସ୍ତରୀୟ ତଦନ୍ତ ଦାବି ସହ ଉକ୍ତ ପରୀକ୍ଷାକୁ ବାତିଲ କରି ପୁନଃ ପରୀକ୍ଷା କରିବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏହି କ୍ରମରେ 14 ଅକ୍ଟୋବର ପରୀକ୍ଷାର ଆୟୋଜନ ହୋଇଥିଲା । ହେଲେ ସମାନ କ୍ରମରେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ଭାଇରାଲ ହୋଇଛି ।
ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଗତ ଅଗଷ୍ଟ ୨୯ ତାରିଖରେ ତିନୋଟି କେନ୍ଦ୍ରରେ ଶିକ୍ଷକ ଯୋଗ୍ୟତା(ଓଟିଇଟି) ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରଶ୍ନପତ୍ର ଲିକ ହେବାପରେ ପରୀକ୍ଷାକୁ ବାତିଲ କରି ପୁନଃ ପରୀକ୍ଷା କରାଯିବା ନେଇ ନିର୍ଦେଶ ଦେଇଥିଲେ । ତେବେ ବିଭାଗ ପକ୍ଷରୁ 14 ତାରିଖ ପୁଣି ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଜିଲ୍ଲାର ସଦର ମହକୁମାରେ ରହିଥିବା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ,ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତିନୋଟି କେନ୍ଦ୍ରରେ ମୋଟ ୭୪୨ ଜଣ ଶିକ୍ଷକ ପରୀକ୍ଷା ଦେଇଥିଲେ । ତେବେ ପୂର୍ବଭଳି ଏଥର ମଧ୍ୟ ପରୀକ୍ଷା ପୂର୍ବରୁ ପ୍ରଶ୍ନଉତ୍ତର ଗୁଡିକ ଭାଇରାଲ ହୋଇଥିଲା । ସମାନ ଆକାରରେ ଗୋଟିଏ ପ୍ରଶ୍ନର ଉତ୍ତର ପାଞ୍ଚ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ ହୋଇଥିବା ଅଭିଯୋଗ ହୋଇଛି । ତେବେ ସୁରକ୍ଷା ବଳୟରେ ରହିଥିବା ପ୍ରଶ୍ନପତ୍ର ଥାଇ ମଧ୍ୟ ଦୁଇ ଦୁଇ ଥର ସମାନ ଢଙ୍କରେ ଲିକ୍ ହେବା ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏନେଇ ବିଭାଗୀୟ କର୍ମଚାରୀଙ୍କ ଉପରେ ଅଙ୍ଗୁଳି ଉଠୁଛି।
ଏହା ମଧ୍ୟ ପଢ଼ନ୍ତୁ:ପରୀକ୍ଷା ପୂର୍ବରୁ ଉତ୍ତର ସିଟ ଭାଇରାଲ ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ଦାବି