ମାଲକାନଗିରି: ସାରା ରାଜ୍ୟରେ OTET ପରୀକ୍ଷା ଚାଲିଥିବାବେଳେ ମାଲକାନଗିରିରେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲା (OTET exam answer sheet goes viral before exam in malkangiri) । ସକାଳେ ପ୍ରଥମ ସିଟିଂ ଥିଲା ଏବଂ ଅପରାହ୍ନରେ ଦ୍ବିତୀୟ ସିଟିଂ ରହିଥିଲା । ତେବେ ସୁରକ୍ଷା ବଳୟରେ ରହିଥିବା ପ୍ରଶ୍ନପତ୍ର କିଭଳି ଲିକ୍ ହେଲା ସେନେଇ ଉଠିଛି ପ୍ରଶ୍ନ ।
ସୂଚନା ମୁତାବକ, 27 ତାରିଖ ଦିନ ପରୀକ୍ଷା ପାଇଁ ପ୍ରଶ୍ନ ପତ୍ର ଆସି କଡା ସୁରକ୍ଷା ମଧ୍ୟରେ ମାଲକାନଗିରି ବାଳିକା ଉଚ୍ଚବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ରହିଥିଲା । ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମ ରହିଥିଲା । ଆଜି ସକାଳ 6.30ରୁ ଏହା ଜିଲ୍ଲାରେ ଥିବା 3ଟି ସେଣ୍ଟରକୁ ଯାଇଥିଲା । କିନ୍ତୁ ହଲରେ ପରୀକ୍ଷାର୍ଥୀ ବସିବା ପୂର୍ବରୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ (OTET exam answer sheet leak) ହୋଇଥିଲା । ପ୍ରଥମ ସିଟିଂର ପେପର ଏ ରେ ଥିବା ମୋଟ ୧୫୦ଟି ପ୍ରଶ୍ନର ଉତ୍ତର ଭାଇରାଲ ହୋଇଛି । ତେବେ କଡା ସୁରକ୍ଷା ବଳୟରେ ଥାଇ ମଧ୍ୟ ପ୍ରଶ୍ନ ପତ୍ର କିପରି ବାହାରକୁ ଆସିଲା ? କିଏ ଉତ୍ତର ସିଟ ପ୍ରସ୍ତୁତ କରିଛି ଏବଂ କେଉଁମାନେ ଏହି ଉତ୍ତର ସିଟ ଭାଇରାଲ କରୁଛନ୍ତି ସେନେଇ ଏବେ ସାଧାରଣରେ ଚର୍ଚ୍ଚା ହୋଇଛି । ଅପର ପକ୍ଷରେ ଏହାର ସିବିଆଇ ତଦନ୍ତ ନେଇ ଶିକ୍ଷାବିତ୍ ଦାବି କରି କହିଛନ୍ତି, "ଏଭଳି ଅବ୍ୟବସ୍ଥା ପାଇଁ ଅନେକ ଆଶାୟୀ ପ୍ରାର୍ଥୀ ପ୍ରଭାବିତ ହୋଇଛନ୍ତି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି । କିଛି ଲୋକଙ୍କ ଚକ୍ରାନ୍ତ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁମାନେ ଏହି କାର୍ଯ୍ୟରେ ସଂଶ୍ଲିଷ୍ଟ ରହୁଛନ୍ତି ସେମାନଙ୍କୁ ସସପେଣ୍ଡ କରିବା ଉଚିତ ।" ଅନ୍ୟପଟେ ପ୍ରଶ୍ନ ପତ୍ର ପାଇବା ପାଇଁ OTET ପରୀକ୍ଷାର୍ଥୀମାନେ 5000 ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି । ଏ ସମ୍ବନ୍ଧରେ ମାଲକାନଗିରି ଡିଇଓ ଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହି ଘଟଣାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି ।