ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି । ଖଇରପୁଟ ବ୍ଲକ ଅନ୍ତର୍ଗତ ଏହି ସବୁଜ ଇଲାକା ଯେତିକି ସୁନ୍ଦର, ଏଠାରେ ବାସ କରୁଥିବା ହଜାର ହଜାର ପ୍ରାଚୀନ ଜନଜାତିଙ୍କ ଯନ୍ତ୍ରଣା ସେତିକି କଷ୍ଟଦାୟକ । ମାଲେରିଆ ଆତଙ୍କ ପୁରା ପଞ୍ଚାୟତ ଭୟଭୀତ ହୋଇଥିଲାବେଳେ ସେବା ବଦଳରେ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଛି । ଏଠାକାର ବାସ୍ତବ ଚିତ୍ର ଜାଣିବା ଲାଗି ଖାଲ ଢିପ ରାସ୍ତା ଡେଇଁ ଘାଟିରେ ପହଞ୍ଚିଥିଲା ଆମ ଇଟିଭି ଭାରତ କ୍ୟାମେରା ଟିମ ।
ନିଜ ବେଶଭୂଷା, ଚାଲିଚଳଣୀ, ସଂସ୍କୃତି ମାଧ୍ୟମରେ ଏମାନେ ବହୁତ ଜଣଙ୍କୁ ଆକୃଷ୍ଟ କରନ୍ତି । ଆଉ ଏମାନଙ୍କୁ ଦେଖି ବେଶ ଉତ୍ସାହ ଓ ଅନୁପ୍ରାଣିତ ମଧ୍ୟ ହୁଅନ୍ତି ବହୁ ଦେଶୀବିଦେଶୀ ପର୍ଯ୍ୟଟକ । କିନ୍ତୁ ଏତେ ସତ୍ତ୍ବେ ବି ପ୍ରଶାସନ ବୁଝୁପାରୁନି ଏହି ନୀରିହ ବିରଳ ଜନଜାତିଙ୍କ ସମସ୍ୟା ।
ଗତ 2 ସପ୍ତାହ ଧରି ଘରେ ଘରେ ଜ୍ବର ଆକ୍ରାନ୍ତ । ଛୋଟ ପିଲାଙ୍କ ଠାରୁ ବୃଦ୍ଧ ସବୁ ମାଲେରିଆ କବଜାରେ । ସେବା ଛଡା ଆରୋଗ୍ୟ ପାଇଁ ବଟିକାଟିଏ ମଧ୍ୟ ମିଳିପାରୁ ନାହିଁ । ବର୍ଷାରେ ରାସ୍ତା ଘାଟ ସବୁ ଖରାପ ହେବା ଫଳରେ ଲୋକେ ଘାଟି ତଳକୁ ମଧ୍ୟ ଆସି ପାରୁ ନାହାଁନ୍ତି । ଆମ୍ବୁଲାନ୍ସ ବି ଯିବାକୁ ଅସମର୍ଥ । ଏପରି ସ୍ଥିତିରେ ଭାର ହିଁ ଭରସା । ଫଳରେ ଆଦିମ ଜନଜାତି ଏବେ ମୃତ୍ୟୁ ମୁଖରେ ପଡିଥିବାବେଳେ କିଛି ଲୋକ ଜୀବନ ବଞ୍ଚାଇବା ଲାଗି ଗୁଣି ଗାରେଡିଙ୍କ ଆଶ୍ରୟ ନିଅନ୍ତି ।