ମାଲକାନଗିରି:ଜିଲ୍ଲାର ମୋଟୁ ଅଞ୍ଚଳରେ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଜିଲ୍ଲାର କାଲିମେଳା ବ୍ଲକ ରମଟୁ, ଆଲମା, ମୁରଲିଗୁଡା ପଞ୍ଚାୟତର ବହୁଗାଁ ବୁଲି ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ।
ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ବନ୍ୟା ହୋଇଥିବା ଅଞ୍ଚଳରେ ଲୋକଙ୍କ ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଛନ୍ତି ନବରଙ୍ଗପୁର ସାଂସଦ । ଏହି ଅବସରରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ବନ୍ୟା କ୍ଷତିଗ୍ରସ୍ତଙ୍କୁ କ’ଣ ସବୁ ସୁବିଧା ପ୍ରଦାନ କରାଯାଇଛି ସେନେଇ ଆଲୋଚନା କରିବା ସହ କ୍ଷୟକ୍ଷତି ନେଇ ମଧ୍ୟ ଆଲୋଚନା କରିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ‘ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ’ ବୋଲି କହିଛନ୍ତି ସାଂସଦ ରମେଶ ମାଝୀ । ସାଂସଦଙ୍କ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି ।