ଓଡିଶା

odisha

ETV Bharat / state

ମୋଟୁ ରାସ୍ତା ଦେଇ ଫେରୁଛନ୍ତି ଶହ ଶହ ପ୍ରବାସୀ, ନଜର ରଖିଛି ପୋଲିସ - check post

ମାଲକାନଗିରି ଜିଲ୍ଲାର ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ସୀମାନ୍ତ ଦେଇ ପ୍ରତିଦିନ ଶହ ଶହ ପ୍ରବାସୀ ମାଲକାନଗିରି ଭିତରକୁ ପ୍ରବେଶ କରୁଛନ୍ତି । ପୋଲିସ ଓ ପ୍ରଶାସନ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି । ଅଧିକ ପଢନ୍ତୁ....

ମୋଟୁ ରାସ୍ତା ଦେଇ ଫେରୁଛନ୍ତି ଶହ ଶହ ପ୍ରବାସୀ
ମୋଟୁ ରାସ୍ତା ଦେଇ ଫେରୁଛନ୍ତି ଶହ ଶହ ପ୍ରବାସୀ

By

Published : Apr 21, 2021, 12:29 PM IST

Updated : Apr 21, 2021, 4:13 PM IST

ମାଲକାନଗିରି: କୋରୋନାର ଦ୍ବିତୀୟ ଲହର ଚାଲିଥିବା ବେଳେ ସାରା ଦେଶକୁ ଏହା କବଳିତ କରିଛି । ଏହି ସମୟରେ ମାଲକାନଗିରି ଜିଲ୍ଲାର ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ସୀମାନ୍ତ ଦେଇ ପ୍ରତିଦିନ ଶହ ଶହ ପ୍ରବାସୀ ମାଲକାନଗିରି ଭିତରକୁ ପ୍ରବେଶ କରୁଛନ୍ତି ।

ମୋଟୁ ରାସ୍ତା ଦେଇ ଫେରୁଛନ୍ତି ଶହ ଶହ ପ୍ରବାସୀ

ବିଶେଷକରି ମହାରାଷ୍ଟ୍ର,ରାଜସ୍ଥାନ,ଗୁଜରାଟ,ଦିଲ୍ଲୀ,ମଧ୍ୟପ୍ରଦେଶ,ଆନ୍ଧ୍ରପ୍ରଦେଶ, ଛତିଶଗଡ,ତେଲେଙ୍ଗାନା ଭଳି ରାଜ୍ୟକୁ କେନ୍ଦ୍ରସରକାର ରେଡ ଜୋନ ଭାବେ ଘୋଷଣା କରିଛନ୍ତି । ତେବେ ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ସମସ୍ତ ସୀମାନ୍ତ ଅଞ୍ଚଳକୁ ସିଲ କରାଯିବା ସହ ପୋଲିସ ଏବଂ ପ୍ରଶାସନ ତରଫରୁ କଡାକଡି ଯାଞ୍ଚ କରାଯାଉଛି । ମାଲକାନଗିରି ଜିଲ୍ଲା ମୋଟୁ ରାସ୍ତା ଦେଇ ବିଭିନ୍ନ ରାଜ୍ୟରେ କାମ କରୁଥିବା ପ୍ରବାସୀ ଓଡିଆମାନେ ଆସୁଥିବାରୁ ସେଠାରେ ଏକ ଚେକ ପଏଣ୍ଟ ନିର୍ମାଣ କରାଯାଇଛି । ୨୪ ଘଣ୍ଟା ସେଠାରେ ଯାଞ୍ଚ କରାଯାଉଛି । ପ୍ରତ୍ୟେକ ଗାଡି ଏବଂ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି ।

ସେଠାରେ ମେଡିକାଲ ଟିମ,ପ୍ରଶାସନ ତରଫରୁ ରେଜିଷ୍ଟ୍ରେସନ ପାଇଁ ଶିକ୍ଷକମାନେ,ବ୍ଲକ ପ୍ରଶାସନ,ତହସିଲ ପ୍ରଶାସନ,ପରିବହନ ବିଭାଗର କର୍ମଚାରୀ ଦିନରାତି ଏକ କରି ଜଗି ରହିଛନ୍ତି। ପ୍ରତିଦିନ ସକାଳୁ ଶହ ଶହ ପ୍ରବାସୀ ବିଭିନ୍ନ ଗାଡି ମଟରରେ ମୋଟୁ ସୀମାନ୍ତରେ ପହଞ୍ଚୁଛନ୍ତି। ଏଠାରେ ନିଜ ନାମ ରେଜିଷ୍ଟ୍ରେସନ କରି ନିଜ ନିଜ ଅଞ୍ଚଳକୁ ଯାଉଛନ୍ତି । ତେବେ ସରକାରଙ୍କ ନିୟମ ଅନୁଯାୟୀ ଯେଉଁମାନେ ଦୁଇଟି ଭ୍ୟାକ୍ସିନ ନେଇଛନ୍ତି ସେମାନଙ୍କୁ କୌଣସି ପ୍ରକାର ଯାଞ୍ଚ କରାଯାଉନାହିଁ । ସେହିପରି ଯେଉଁମାନେ ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଇଛନ୍ତି ସେମାନେ ସଂଙ୍ଗରୋଧରେ ରହିବେ ନାହିଁ ।

ମୋଟୁରେ ପହଞ୍ଚିବା ପରେ ସମସ୍ତ ପ୍ରବାସୀମାନେ ବସ ଏବଂ ଗାଡି ଭଡା କରି ନିଜ ନିଜ ଅଞ୍ଚଳକୁ ଯାଉଥିବା ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ସେହି ଜିଲ୍ଲାମାନଙ୍କୁ ପ୍ରବାସୀ ଫେରୁଛନ୍ତି ବୋଲି ଖବର ଦିଆଯାଉଛି। ଯାହାଫଳରେ ସେମାନେ ସେଠାରେ ନିଜର କୋରୋନା ଟେଷ୍ଟ କରାଇବା ସହ ସଙ୍ଗରୋଧରେ ରହିବେ ବୋଲି କୁହାଯାଇଛି। ତେବେ ମୋଟୁ ତହସିଲଦାର ଶଶାଙ୍କ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମୋଟୁ ଠାରେ ଯାଞ୍ଚ ପ୍ରକ୍ରିୟା ଚାଲିଛି । ସେହିପରି ମୋଟୁ ପୋଲିସ ପକ୍ଷରୁ ଦିନରାତି ମୋଟୁ ସୀମାନ୍ତରେ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ପ୍ରବାସୀମାନଙ୍କ ପାଇଁ ଆଶ୍ରୟ ସ୍ଥଳୀ,ପିଇବା ପାଣି ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ପ୍ରବାସୀଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଥିବାରୁ ପ୍ରଶାସନ ଏବେ ଠାରୁ ମୋଟୁ ଠାରେ ସେମାନଙ୍କର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବା ଆରମ୍ଭ କରିଛି। ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା କମ୍ ରହିଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥ ଯେପରି ବଳବତ୍ତର ରଖାଯାଇ ପାରିବ ସେ ନେଇ ସମସ୍ତଙ୍କର ସହଯୋଗ କାମନା କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Apr 21, 2021, 4:13 PM IST

ABOUT THE AUTHOR

...view details