ମାଲକାନଗିରି:ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହି ଅବସରରେ ମାଲକାନଗିରି ଜିଲ୍ଲାରେ ରେଗୁଲାର ଓ ଏକ୍ସ ରେଗୁଲାର ମିସି ସମୁଦାୟ ୭୨୭୧ ଛାତ୍ରଛାତ୍ରୀ ଦେବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଯାହାକୁ ନେଇ ମାଲକାନଗିରି ଜିଲ୍ଲାରେ ଗଣ ଶିକ୍ଷା ବିଭାଗର ପକ୍ଷରୁ ହୋଇଛି ଜୋରଦାର ପ୍ରସ୍ତୁତି । ଜିଲ୍ଲାରେ ସମୁଦାୟ ୪୪ଟି ସେଣ୍ଟର ଥିବାବେଳେ ୧୦ଟି ନୋଡାଲ୍ ସେଣ୍ଟର ହୋଇଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।
ସେହିପରି ଜିଲ୍ଲ୍ଲାକୁ ଆସିଥିବା ପ୍ରଶ୍ନ ପତ୍ର ଗୁଡିକୁ ୮ଟି ଥାନା ଏମ୍ ଭି 79, କାଲିମେଳା ,ପଡିଆ , ମାଲକାନଗିରି , ମାଥିଲି , ମୁଦୁଲିପଡା , ଓରକେଲ୍ , ଚିତ୍ରକୁଣ୍ଡା ଓ ବଡପଡା ଥାନା ସହ ୨ଟି ଫାଣ୍ଡି ପଟେରୁ ଓ କୁଡୁମୁଲୁଗୁମ୍ମା ଫାଣ୍ଡିରେ କଡା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍ ମଧ୍ୟରେ ରଖାଯାଇଛି ପ୍ରଶ୍ନ ପତ୍ର । ସେହିଭଳି ଜିଲ୍ଲାରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ଜିଲ୍ଲା ପ୍ରଶାସନ , ଜିଲ୍ଲାଶିକ୍ଷା ବିଭାଗ ଓ ରାଜ୍ୟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସମସ୍ତ ସେଣ୍ଟରର ସୁପରିଟେଣ୍ଡ ମାନେ ସକାଳ ୫ଟା ସମୟରେ ଷ୍ଟ୍ରଙ୍ଗ ରୁମ୍ ଯାଇ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନ ପତ୍ର ଆଣିବେ କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ମାନସ ରଞ୍ଜନ ଜେନା । ଏଥି ସହ ଛାତ୍ରଛାତ୍ରୀ ମାନଙ୍କୁ ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ସୂଚନା ଯୋଗ୍ୟ ଯେ, ଗତ ଓଟିଇଟି ପରୀକ୍ଷା ସମୟରେ ମାଲକାନଗିରିରେ ହିଁ ପ୍ରଶ୍ନ ପତ୍ର ଲିକ୍ ହୋଇ ଉତ୍ତର ମୋବାଲ୍ ଠୁ ମୋବାଇଲ ଘୁରି ବୁଲିଥିଲା ।