ମାଲକାନଗିରି : ସାଧାରଣ ନିର୍ବାଚନକୁ ବିରୋଧ କରି ଆନ୍ଧ୍ର ଓ ଓଡିଶା ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ତେଲୁଗୁ ଓ ଓଡ଼ିଆ ଭାଷାରେ ବ୍ୟାନର ଲଗାଇଲେ ମାଓବାଦୀ । ସୂଚନା ମୁତାବକ ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ମଧ୍ୟ ସ୍ୱାଧୀନତାର ସ୍ଵାଦ ଚାଖି ନଥିବା ଅଭିଯୋଗ କରିଛନ୍ତି ବିଚ୍ଛିନ୍ନାଞ୍ଚଳର ହଜାର ହଜାର ଆଦିବାସୀ ।
ଓଡିଶା ସରକାର ଦୀର୍ଘ ୧୯ ବର୍ଷର ଶାସନ ପରେ ମଧ୍ୟ ବିଚ୍ଛିନ୍ନାଞ୍ଚଳରେ ଥିବା ସମସ୍ୟାର ସମାଧାନ କରି ପାରିନଥିବାର ଅଭିଯୋଗ କରି ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ । ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ, ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସମସ୍ୟା ଗୁଡିକ ଆଜି ମଧ୍ୟ ସମାଧାନ ହୋଇ ପାରି ନାହିଁ । ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଗୁଡିକ ବର୍ଷ ବର୍ଷ ଧରି ବନ୍ଦ ଥିବାର ଦେଖିବାକୁ ମିଳିଥିବାବେଳେ କେବଳ ସରକାରୀ କାଗଜ କଲମରେ ଚାଲିଛି ବିଚ୍ଛିନ୍ନାଞ୍ଚଳର ବିକାଶ ।