ମାଲକାନଗିରି:ମାଲ୍ୟବନ୍ତ ମହୋତ୍ସବ ପାଇଁ ଉତ୍ସବ ମୁଖର ରହିଛି ମାଲକାନଗିରି ଜିଲ୍ଲା। ମଙ୍ଗଳବାର ମାଲକାନଗିରି ବ୍ଲକ ପଦ୍ମଗିରି ପଞ୍ଚାୟତର ଜଦୁଗୁଡା ଶୈବ ପୀଠରୁ ମାଲ୍ୟବନ୍ତ ମହୋତ୍ସବ-୨୦୨୩ର ଶୁଭାରମ୍ଭ ହୋଇଯାଇଛି । ଆସନ୍ତା ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ ମହୋତ୍ସବ ପାଇଁ ମଙ୍ଗଳବାର ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ବିଶାଲ ସିଂଙ୍କ ଉପସ୍ଥିତିରେ ଜଦୁଗୁଡା ଶୈବ ପୀଠରେ ପୂଜାର୍ଚ୍ଚନା ପରେ କଳସ ଶୋଭାଯାତ୍ରା ବାହାରିଥିଲା । ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ, ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଓ ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ୧୧ ଗୋଟି କଳସକୁ ଏସ୍ଏଚ୍ଜି ମହିଳାମାନଙ୍କୁ ପ୍ରଦାନ କରିଥିଲେ ।
ଏହି କଳସ ଶୋଭାଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଥିଲା । ଏଥିରେ ଜିଲ୍ଲାର କୋୟା, ଗଡ଼ଙ୍ଗି ଓ ଢେମସା ଭଳି ଲୋକନୃତ୍ୟ ଦଳ ସାମିଲ ହୋଇ ନୃତ୍ୟ ପରିବେଷଣ କରିଥିଲେ । ଜିଲ୍ଲାପାଳଙ୍କ ସମେତ ବିଧାୟକ ମଧ୍ୟ ଏହି ଲୋକନୃତ୍ୟରେ ଝୁମିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାପରେ ପଦ୍ମଗିରି ସରକାରୀ ଏସ୍ଏସ୍ଡି ହାଇସ୍କୁଲରେ କଳସକୁ ବନ୍ଦାପନା କରାଯାଇଥିଲା । ଅପରାହ୍ନରେ ଭୈରବ ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କଳସ ଶୋଭାଯାତ୍ରା ହୋଇଥିଲା । ଏଥିରେ ଏସ୍ଏଚ୍ଜି ମହିଳା, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ବିଭିନ୍ନ କ୍ଲବ ସଦସ୍ୟ ଓ ଜନସାଧାରଣ ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: ପରବ-2023 ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଝୁମିଲା କୋରାପୁଟ