ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅଞ୍ଚଳର ଆରଏସସି୧୩ ଗ୍ରାମରେ ରାତିଅଧିଆ ପୋଲିସ ପଶି ମହିଳାଙ୍କୁ ଆକ୍ରମଣ ଘଟଣା । ଏହାର ପ୍ରତିବାଦରେ କଂଗ୍ରେସ ସୋମବାର ଉକ୍ତ ଅଞ୍ଚଳରେ ବିରାଟ ଜନ ସମାଗମ ହୋଇ ଏକ ବୈଠକ ହୋଇଥିଲା । ବୈଠକରେ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଥିବା ବେଳେ କିଛି ଲୋକେ ଚିତ୍ରକୁଣ୍ଡା ଥାନା ଉପରେ ଆକ୍ରମଣ କରିଥିଲେ । ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି । ସେପଟେ ଥାନା ଆକ୍ରମଣ ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମାଲକାନଗିରି ଏସପି ନିତିଶ ବାଗବାନି ।
ମହିଳାଙ୍କୁ ଆକ୍ରମଣ ହୋଇଥିବା ଘଟଣାରେ କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଏସପିଙ୍କୁ ଭେଟି ସମସ୍ତ ରିପୋର୍ଟ ପ୍ରଦାନ କରିଥିବା ବେଳେ ଆଜି ଚିତ୍ରକୋଣ୍ଡାରେ ଏହାକୁ ବିରୋଧ କରି ବିରାଟ ଜନସମାବେଶ ଅନୁଷ୍ଠିତ ହୋଇଥିଲା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ଲୋକଙ୍କୁ ନେଇ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା ।
ଆରଏସସି-୧୩ ଗ୍ରାମରେ ପୋଲିସର ବର୍ବରତାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଗଞ୍ଜେଇ ଧରିବା ନାଁରେ ନୀରିହ ଜନତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଉପସ୍ଥିତ କଂଗ୍ରେସର ନେତାମାନେ ମଧ୍ୟ ପୋଲିସର ଏହି ହିଂସାତ୍ମକ କାର୍ଯ୍ୟକଳାପ ନିନ୍ଦା କରିବା ସହ ଏନେଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ । ବୈଠକରେ ଶାନ୍ତିପୂର୍ଣ୍ଣ ଭାବେ ସମସ୍ତେ ରୁଣ୍ଡ ହୋଇ ନେତାଙ୍କ ଭାଷଣ ଶୁଣୁଥିଲେ । ଏହି ବୈଠକରେ ବିଭିନ୍ନ ଦାବି ମଧ୍ୟ ଉପସ୍ଥାପନା କରାଯାଇଥିଲା ।
ଏହା ବି ପଢନ୍ତୁ- ଚିତ୍ରକୋଣ୍ଡା ଥାନାରେ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା